ଜଣେ ଯୁବକ ଗୋଟିଏ ଅନୁଷ୍ଠାନରେ କାମ ମାଗିଲେ। ଅନୁଷ୍ଠାନର ମାଲିକ କହିଲେ- ଏଠାରେ କେବଳ ଗୋଟିଏ ପଦ ଖାଲି ଅଛି। କିନ୍ତୁ ମୁଁ ନିଶ୍ଚିତ ଯେ ତୁମେ ସେଇ ପଦରେ କାମ କରିବ ନାହିଁ। କାରଣ ତୁମ କଥାବାର୍ତ୍ତାରୁ ଲାଗୁଛି ତୁମେ ଶିକ୍ଷିତ। ଯେଉଁ ପଦ ଖାଲି ଅଛି ତାହା ଏକ ଝାଡୁଦାରର ପଦ।
ଯୁବକ କହିଲା- ଏହା ସତ ଯେ ମୁଁ ଶିକ୍ଷିତ। କିନ୍ତୁ ଝାଡୁଦାର ଭାବେ କାମ କରିବାରେ ମୋର କୌଣସି ଲଜ୍ଜା ବା ଦ୍ବିଧା ନାହିଁ।
ପର ଦିନ ଠାରୁ ଯୁବକ ନିଜ କାମରେ ଲାଗିଲା। ତାର କିଛି ବନ୍ଧୁ କହିଲେ- ତୁମେ ଏମିତି କାମ ଗ୍ରହଣ କଲ କାହିଁକି? ଆମେମାନେ ଶିକ୍ଷିତ। ଜୀବନ ଯାକ ବେକାର ରହିବୁ ପଛକେ ଏଭଳି କାମ କରିବୁ ନାହିଁ।
ଯୁବକ କହିଲା- ତୁମେମାନେ ଯେମିତି ଭାବୁଛ, ସେଥିରୁ ଲାଗୁଛି ତୁମେମାନେ ପ୍ରକୃତରେ ଶିକ୍ଷିତ ନୁହଁ। କାରଣ କାମ କରିବା ହେଉଛି ବଡ଼ କଥା। ଅନ୍ତତଃ ପକ୍ଷେ କାମ ନ କରିବା ଠାରୁ ତାହା ଭଲ। ଦ୍ବିତୀୟରେ ଆମେ କେଉଁ କାମ କରୁଛେ ତାହା ଆମ ଗୁଣ ବା ଚରିତ୍ର ବିଷୟରେ ସୂଚନା ଦିଏ ନାହିଁ। ଆମେ କିଭଳି କାମକୁ କରୁଛେ ତାହା ଦିଏ।
ଏହା ଶୁଣି ଜଣେ ବନ୍ଧୁ ଅସଲ କଥାଟି ସୂଚେଇ ଦେଇ କହିଲା- ତା ବୋଲି ମଇଳା ସଫା କରିବା ଭଳି କାମ?
ଯୁବକ କହିଲା- ମୋର ମଇଳା ବା ଆବର୍ଜନା ସହିତ ବନ୍ଧୁତା ନାହିଁ ବୋଲି ମୁଁ ସେଗୁଡ଼ିକୁ ହଟାଉଛି। ଯେଉଁମାନେ ମୋର ଏ କାମକୁ ଘୃଣା କରୁଛନ୍ତି, ସେମାନେ ମଇଳାକୁ ଭଲ ପାଆନ୍ତି ବୋଲି ତାହା ସୃଷ୍ଟି କରନ୍ତି ବୋଲି ମୁଁ ଭାବେ। ଏ ସ୍ଥାନକୁ ପରିଚ୍ଛନ୍ନ ରଖି ମୁଁ ସମସ୍ତଙ୍କ ଲାଗି ଏକ ଚମତ୍କାର ପରିବେଶ ସୃଷ୍ଟି କରିନାହିଁ କି? ଏବେ କୁହ ମୋ କାମରେ ମୁଁ କାହିଁକି ସନ୍ତୁଷ୍ଟ ନ ହେବି?