ମଣିଷକୁ ଭୟ

କଥାଟିଏ - ଯାଯାବର

ଜଣେ ବଣିକ ଦୂର ସ୍ଥାନକୁ ଯାଉଥିଲେ। ତାଙ୍କ ସାଙ୍ଗରେ ଦଳେ ପରିଚାରକ ବି ଯାଉଥିଲେ। ଥରେ ସେଇ ପରିଚାରକଙ୍କ ଭିତରୁ କିଛି ମନ୍ତ୍ରଣା କଲେ ଯେ ବାଟରେ ବଣିକ ଶୋଇଥିବା ବେଳେ ତାଙ୍କ ପାଖରୁ ସବୁ ଟଙ୍କା ପଇସା ନେଇ ପଳାଇଯିବେ।

ଦିନେ ଦ୍ବିପହରେ ଏକ ଗଛର ଛାଇରେ ସମସ୍ତେ ବିଶ୍ରାମ କରୁଥିବା ବେଳେ ସାପ ସାପ ବୋଲି ଜଣେ ଚିତ୍କାର କଲା। ବଣିକ କିନ୍ତୁ ଆଦୌ ବିଚଳିତ ନ ହୋଇ ଅଦୂରରେ ଥିବା ସାପକୁ ତା’ ବାଟରେ ଚାଲିଯିବା ଲାଗି ବାଟ ଦେବାକୁ କହିଲେ। ସାପଟି ଚାଲିଗଲା।

ପରିଚାରକମାନେ ବଣିକଙ୍କୁ ପଚାରିଲେ- ସାପକୁ ଭୟ କରୁନାହାନ୍ତି କେମିତି?

ବଣିକ କହିଲେ- ଏ ସାପଟି ବିଷଧର ବୋଲି ସମସ୍ତେ ଜାଣିଛେ। ତେଣୁ କେବଳ ସାବଧାନ ରହିଲେ ହେଲା। ଏହାକୁ ଭୟ କାହିଁକି କରିବା?

ବଣିକଙ୍କ ଯାତ୍ରା ପୁଣି ଆରମ୍ଭ ହେଲା। ରାତିରେ ସେ ଏକ ଧର୍ମଶାଳାରେ ଆଶ୍ରୟ ନେଲେ। କିନ୍ତୁ ସକାଳେ ଦେଖାଗଲା ଯେ ସେଇ ମନ୍ତ୍ରଣାକାରୀ ପରିଚାରକମାନେ ନିଦ ଔଷଧରେ ସମସ୍ତଙ୍କୁ ଅଚେତନ କରାଇ ବଣିକଙ୍କ ସବୁ କିଛି ଲୁଟି ନେଇ ଯାଇଛନ୍ତିି। ସକାଳେ ବଣିକ ଏହା ଦେଖି ହତଭମ୍ବ ହୋଇଗଲେ। ତା’ ପରେ ସେ ଅତି ବିମର୍ଷ ହୋଇ କହିଲେ- ଏବେ କୁହ ଅସଲରେ କାହାକୁ ଭୟ କରିବା କଥା? ଏମାନେ ମୋର ନିତାନ୍ତ ଅନୁଗତ ବୋଲି ଧାରଣା ବଦ୍ଧମୂଳ କରି ମୋତେ କାଙ୍ଗାଳ କରି ଦେଇଗଲେ। ଏହା କେବଳ ମଣିଷ ଦ୍ବାରା ସମ୍ଭବ। ତେଣୁ ସାପ ତୁଳନାରେ ମଣିଷ ଅଧିକ ବିପଜ୍ଜନକ।

ସମ୍ବନ୍ଧିତ ଖବର