ମୁଲ୍ଲା ଓ ରାଜା

କଥାଟିଏ - ଯାଯାବର

ନିରୋଳା ମଜା ଗପଟିଏ ଶୁଣନ୍ତୁ।

ରାଜାଙ୍କ ବଗିଚାରୁ କାକୁଡ଼ି ଚୋରି କରୁଥିବା ବେଳେ କିଶୋରଟିଏ ଧରାପଡ଼ିଗଲା। ରାଜା କହିଲେ- ୟାକୁ ଫାଶୀ ଦେଇ ଦିଅ।

ପାଖରେ ବସିଥିବା ମୁଲ୍ଲା ନସିରୁଦ୍ଦିନ ଏହାର ପ୍ରତିବାଦ କରି କହିଲେ- ମହାରାଜ, କାକୁଡ଼ି ଚୋରି ଲାଗି ଫାଶୀ? ଏହା ଠିକ କଥା ନୁହେଁ।

ରାଜା କହିଲେ- ମୁଲ୍ଲା, ତୁମକୁ ମୁଁ ବହୁତ ଭଲ ପାଏ ବୋଲି ତୁମେ ଆଜି ମୋ ବିଚାରକୁ ପ୍ରଶ୍ନ କରିବାର ସାହସ କରୁଛ! ଏ ପିଲା କାକୁଡ଼ି ଚୋରି କଲା ଅର୍ଥ ବଡ଼ ଚୋରି ଲାଗି ବାଟ ଫିଟିଗଲା। କାଲି ୟେ ମୋ ଉଆସ ଭିତରୁ ରାଣୀଙ୍କ ଗହଣା ଚୋରି କରିବ ନାହିଁ ବୋଲି କିଏ କହିପାରିବ? ତେଣୁ ମୂଳୁ ମାଇଲେ କଥା ଶେଷ।

ଏହା ଶୁଣି ମୁଲ୍ଲା ଉଠିପଡ଼ି ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ। ରାଜା ଆଚମ୍ବିତ ହୋଇ କହିଲେ- ମୁଲ୍ଲା ପାଗଳ ହୋଇଗଲେ କି? ଯାଅ, ତାଙ୍କୁ ଧରି ଆଣ।

ମୁଲ୍ଲା ଧରା ହୋଇ ଆସିଲେ। ସେ କିନ୍ତୁ ଛାଟିପିଟି ହେଉଥାଆନ୍ତି। ରାଜା ପଚାରିଲେ- ମୁଲ୍ଲା କ’ଣ ହେଲା?

ମୁଲ୍ଲା କହିଲେ- କାଲି ରାତିରେ ମୁଁ ଶୋଇଥିଲି। ହଠାତ୍‌ ମୋ ପିଠି ଉପର ଦେଇ ମୂଷାଟିଏ ଚାଲିଗଲା।

ରାଜା କହିଲେ- କିନ୍ତୁ ତୁମେ ଯେମିତି ହେଉଛ, ଲାଗୁଛି ତୁମ ଉପର ଦେଇ ହାତୀଟିଏ ଚାଲିଗଲା ଅବା!

ମୁଲ୍ଲା କହିଲେ- ଆପଣଙ୍କ କଥା ଶୁଣିବା ପରେ ମୋତେ ଲାଗିଲା ଯେ ମୂଷା ଚାଲିଗଲା ଅର୍ଥ ଜନ୍ତୁ ଚାଲିବା ଲାଗି ବାଟ ଫିଟିଗଲା। କିଏ ଜାଣିଲା କାଲି ମୋ ପିଠି ଉପରେ ହାତୀଟିଏ ଚାଲି ନ ଯିବ? ତେଣୁ ମୁଁ ଯେତେ ଶୀଘ୍ର ମୋ ଘର ଛାଡ଼ି ପଳାଇବା ଲାଗି ଦୌଡୁଥିଲି।

ରାଜା ହସିଲେ ଓ କହିଲେ- ମୁଲ୍ଲା, ତୁମେ ଠିକ୍‌ ଫନ୍ଦି ଜାଣ।

ସମ୍ବନ୍ଧିତ ଖବର