ମୁଲ୍ଲାଙ୍କ ଓକିଲାତି

କଥାଟିଏ - ଯାଯାବର

ଥରେ ସହରର ମେୟରଙ୍କ ଘରୁ ଟଙ୍କା ଚୋରି ହୋଇଗଲା। ତେବେ ଚୋର ଅତି ଶୀଘ୍ର ଧରାପଡ଼ିଗଲା। ଚୋରଟି କେମିତି ଦୃଷ୍ଟାନ୍ତମୂଳକ ଦଣ୍ତ ପାଇବ ସେଥି ଲାଗି ମେୟର ବ୍ୟବସ୍ଥା କଲେ।

ଏ କଥା ଜାଣିବା ପରେ ଚୋରର ସ୍ତ୍ରୀ କାନ୍ଦି କାନ୍ଦି ଅସମ୍ଭାଳ ହୋଇଗଲା। ତେବେ, କେବଳ ଗୋଟିଏ ଆଶା ଥିଲା ଯେ ଯଦି ମୁଲ୍ଲା ନସିରୁଦ୍ଦିନ ଚୋର ଲାଗି କେସ୍‌ ଲଢ଼ିବେ, ତେବେ ଯାଇ କିଛି ହୋଇପାରେ। ତା ବି ସନ୍ଦେହାସ୍ପଦ! କାରଣ ସେ ମାଜିଷ୍ଟ୍ରେଟ୍‌ ଥିଲେ ଭାରି କଡ଼ା। ତଥାପି ଚୋରର ସ୍ତ୍ରୀ ମୁଲ୍ଲାଙ୍କ ପାଖକୁ ଯାଇ କାନ୍ଦି କାନ୍ଦି ଗୋଡ଼ ତଳେ ପଡ଼ିବାରୁ ମୁଲ୍ଲାଙ୍କ ହୃଦୟ ତରଳିଗଲା। ସେ ଚୋର ଲାଗି କେସ୍‌ ଲଢ଼ିଲେ। କଡ଼ା ମାଜିଷ୍ଟ୍ରେଟ୍‌ଙ୍କୁ ମାତ୍‌ ଦେବା ଲାଗି ମୁଲ୍ଲା ଏମିତି ଯୁକ୍ତି ସବୁ ରଖିଲେ ଯେ ଅଗତ୍ୟା ମାଜିଷ୍ଟ୍ରେଟ୍‌ ତାକୁ ନିର୍ଦୋଷ ବୋଲି କହି ଛାଡ଼ିଦେବାକୁ ବାଧୢ ହେଲେ। ମେୟର ସବୁ ସାକ୍ଷୀ ପ୍ରମାଣ ଯୋଗାଡ଼ କରିଥିଲେ ବି ତାହା ଗ୍ରହଣଯୋଗ୍ୟ ହେଲା ନାହିଁ।

ବିଚାର ସରିବା ପରେ ମୁଲ୍ଲା ଚୋରକୁ କହିଲେ- ଏବେ ମୋ ଓକିଲ ଖର୍ଚ୍ଚ ଦେ।

ଏହା ଶୁଣି ଚୋର କହିଲା- ମୁଲ୍ଲା ଖରାପ ଭାବିବ ନାହିଁ, ଗୋଟିଏ କଥା କହିବି। ମୁଁ ଯେ ସତରେ ଚୋରି କରିଥିଲି ଏ ନେଇ ମୋ ମନରେ ବି ସନ୍ଦେହ ଆସିଲାଣି। ତୁମେ ଯେମିତି ଯୁକ୍ତି କରି ମାଜିଷ୍ଟ୍ରେଟ୍‌ଙ୍କୁ ବୁଝାଇ ଦେଲ, ମୋତେ ଲାଗିଲାଣି ଯେ ମୁଁ ସତରେ ଚୋରି କରି ନ ଥିଲି।

ମୁଲ୍ଲା ମୁଣ୍ତରେ ହାତ ଦେଲେ।

ସମ୍ବନ୍ଧିତ ଖବର