ମଧ୍ୟମ ମାର୍ଗ
ଅନେକ ଲୋକ ଚରମ ସୀମାଟି କେଉଁଠି ତାହା ଜାଣିପାରନ୍ତି ନାହିଁ। ଅନେକ ବକ୍ତା ଶ୍ରୋତାଙ୍କୁ ଅତିଷ୍ଠ କଲା ଭଳି କହି ଚାଲନ୍ତି, ଅନେକ ଲେଖକ କେଉଁଠି ଲେଖା ସରିବା କଥା ବୁଝି ନ ପାରି ଲେଖିଚାଲନ୍ତି ଓ ରଚନାଟିକୁ ବିକୃତ କରିପକାନ୍ତି। ତେଣୁ ଚରମ ସୀମାଟି ଜାଣିବା ଲାଗି ଲୋଡ଼ା ଏକ ବିଶେଷ ବୁଦ୍ଧି। ବିଶିଷ୍ଟ ମନୋଚିକିତ୍ସକ ସିଗ୍ମଣ୍ଡ ଫ୍ରଏଡ୍ ଏ ବାବଦରେ ଗୋଟିଏ ଗପ କହୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜର୍ମାନିର ଗୋଟିଏ ଗାଁରେ ମଇଳା ସଫା କରିବା ଲାଗି ଘୋଡ଼ା ଟଣା ଗାଡ଼ିଟିଏ କିଣାଗଲା। ଗାଁଟି ଥିଲା ଗରିବ ଏବଂ ଗାଁ କମିଟି ପାଖରେ ପଇସା ନ ଥିଲା। ମାତ୍ର ଘୋଡ଼ାର ଦାନା ବାବଦ ଖର୍ଚ୍ଚ ବଳେଇଗଲା। ତେଣୁ କମିଟି ସ୍ଥିର କଲା ଘୋଡ଼ାର ଖାଇବା ଅଧା କମେଇ ଦେଇ ଦେଖିବ। ଘୋଡ଼ାଟି ଏଣିକି ଅଧା ଖାଇଲା, କିନ୍ତୁ କାମ କଲା। ଏବେ କମିଟି କହିଲା- ଆରେ ଆମେ ଏତେ ବୁଦ୍ଦୁ ଥିଲେ! ଏବେ ଖାଇବା ଆହୁରି କମାଇ ଦେବା। ଏମିତି କିଛି ଦିନ ଅନ୍ତରରେ ଘୋଡ଼ାର ଦାନା କମାଇ ଦିଆଯିବାରେ ଲାଗିଲା। ଘୋଡ଼ାଟି ଅତି ଅଳ୍ପ ଖାଇବା ସତ୍ତ୍ବେ ଗାଡ଼ି ଟାଣି ପାରିଲା। ଶେଷରେ କମିଟିର କର୍ତ୍ତୃପକ୍ଷ କହିଲେ- ଏଇ ଘୋଡ଼ାକୁ ଅନାହାରରେ ରଖିଲେ ବି ତାହା କାମ କରିବ। ତେଣୁ ଘୋଡ଼ାକୁ ଅନାହାରରେ ରଖାଗଲା ଏବଂ ପରିଶେଷରେ ଯାହା ହେବା କଥା ତାହା ହେଲା।
ବୁଦ୍ଧ କହୁଥିଲେ ମଧ୍ୟମ ପନ୍ଥା ସବୁଠାରୁ ଭଲ। ସେ କହୁଥିଲେ ବୀଣାର ତାରକୁ ଏତେ ଢିଲା ଛାଡ଼ନାହିଁ ଯେ ତହିଁରୁ ଶବ୍ଦ ବାହାରିବ ନାହିଁ ଏବଂ ତାକୁ ଏତେ ଜୋରରେ ଭିଡ଼ ନାହିଁ ଯେ ତାହା ଛିଣ୍ଡି ଯିବ! ଯେଉଁମାନେ ଆଗ୍ରହାତିଶଯ୍ୟରେ ହେଉ ବା ନିର୍ବୋଧତା କାରଣରୁ ହେଉ ଅଧିକରୁ ଅଧିକ ଟାଣି ଚାଲନ୍ତି, ସେମାନଙ୍କ ଲାଗି ପରାମର୍ଶ ହେଲା, ମଧ୍ୟମ ପନ୍ଥା ହିଁ ଉଚିତ ପନ୍ଥା।