ଜନକଙ୍କ ବୈରାଗ୍ୟ

କଥାଟିଏ - ଯାଯାବର

ଋଷି ଅଷ୍ଟବକ୍ରଙ୍କ ନିକଟକୁ ତାଙ୍କ ପରମ ଶି‌ଷ୍ୟ ରାଜା ଜନକ ଗଲେ। ସେତେବେଳକୁ ଅଷ୍ଟବକ୍ର ତାଙ୍କ ଶିଷ୍ୟମାନଙ୍କ ସହିତ ଥିଲେ। ସେଠାରେ ରାଜା ଜନକ ପହଞ୍ଚିବା ଦେଖି ଅଷ୍ଟବକ୍ରଙ୍କ କିଛି ଶିଷ୍ୟ ନାକ ଟେକିଲେ। କାରଣ ଅଷ୍ଟବକ୍ରଙ୍କ ଆଶ୍ରମରେ ସମସ୍ତେ ଥିଲେ ବୈରାଗୀ। ସେମାନଙ୍କ ଭିତରେ ଆଭୂଷଣ‌େର ଭୂଷିତ ଜଣେ ରାଜା ବସିବା ସେମାନଙ୍କୁ ଭଲ ଲାଗିଲା ନାହିଁ। ସେମାନେ ନିଜ ନିଜ ଭିତରେ ଆଲୋଚନା କଲେ- ବୈରାଗୀ ଶ୍ରେଷ୍ଠ ଋଷି ଅଷ୍ଟବକ୍ରଙ୍କ ଆଶ୍ରମରେ ଜଣେ ରାଜାଙ୍କର କି କାମ?

ରାଜା ଜନକ ସେଠାରେ ଥିବା ବେଳେ ଜଣେ ଦୂତ ଦଉଡ଼ି ଦଉଡ଼ି ଆସି ଖବର ଦେଲା ଯେ ଜନକଙ୍କ ରାଜପ୍ରାସାଦରେ ନିଆଁ ଲାଗିଛି।

ଏହା ଶୁଣି ଜନକ କହିଲେ- ଲାଗୁ। ମୁଁ ଏବେ ଗୁରୁଙ୍କ ସତ୍‌ସଙ୍ଗରେ ଅଛି। ଯାଇ ପାରିବି ନାହିଁ। ତୁମେ ମୋ ଗୁରୁଙ୍କୁ ପ୍ରଣାମ ନ କରି ମୋତେ ଖବର ଦେବା ମୋତେ ଭଲ ଲାଗିଲା ନାହିଁ। ତେଣୁ ଗୁରୁଙ୍କୁ ପ୍ରଣାମ କର ଓ ଏଠାରୁ ଯାଅ।

ଏହା ପରେ ଜନକ ଦେଖିଲେ ଯେ ଗୁରୁଙ୍କ ସାମନାରେ ବସିଥିବା ଶିଷ୍ୟମାନେ ହଠାତ୍ ବାହାରକୁ ଦୌଡ଼ିଲେ। ବୁଝିଲା ବେଳକୁ ଜଣାଗଲା ଯେ କିଛି ମାଙ୍କଡ଼ ଆସି ସେମାନେ ବାହାରେ ଶୁଖାଇଥିବା କୌପୁନି ନେଇଯିବାର ଉଦ୍ୟମ କରୁଥିବାରୁ ଏହି ଶିଷ୍ୟମାନେ ଦୌଡ଼ିଥିଲେ।

ସେଇ ସଂଧ୍ୟାରେ ଗୁରୁ ଅଷ୍ଟବକ୍ର ଶିଷ୍ୟମାନଙ୍କ ସମାବେଶରେ କହିଲେ- ରାଜା ଜନକଙ୍କ ଉପସ୍ଥିତି ତୁମକୁ ବ୍ୟଥିତ କରୁଛି ବୋଲି ମୁଁ ଜାଣେ। କିନ୍ତୁ ମନେ ରଖ, କିଏ କ’ଣ ପାଖରେ ରଖିଛି ତହିଁରୁ ବୈରାଗୀ ନା ଭୋଗୀ ତାହା ଜାଣି ହୁଏନାହିଁ। କିଏ ନିଜ ଜିନିଷକୁ କେମିତି ରଖିଛି ସେଥିରୁ ଜାଣିହୁଏ। ରାଜା ଜନକଙ୍କ ରାଜପ୍ରସାଦ ଜଳିଯିବା ଓ ତୁମ କୌପୁନି ମାଙ୍କଡ଼ ନେଇଯିବା ଘଟଣାରେ ପ୍ରତିକ୍ରିୟା ଯାହା ମୁଁ ଦେଖିଲି ସେଥିରୁ ବୁଝୁଛି ଜନକ ରାଜା ହୋଇଥିଲେ ବି ତୁମମାନଙ୍କ ଠାରୁ ଅଧିକ ବୈରାଗୀ।

ସମ୍ବନ୍ଧିତ ଖବର