ବିରସ ମନ
କଥାଟିଏ - ଯାଯାବର
ଗୋଟିଏ ଗାଁରେ ଉଭା ହେଲେ ଜଣେ ଦେବ ପୁରୁଷ। ସେ ଦେଖିଲେ ଗାଁ ଲୋକେ ମୁହଁ ଶୁଖାଇ ବୁଲୁଛନ୍ତି। ସେ ସେମାନଙ୍କୁ ଡାକି କହିଲେ- ବାବୁମାନେ, ବିରସ ମନରେ କାହିଁକି ରହିଛ? କାଲି ସକାଳୁ ଆସ। ମନଟି ମାନ ସରସ ହେବା ପାଇଁ ଯାହାର ଯାହା ଇଚ୍ଛା ମୋ’ଠାରୁ ମାଗିନେବ ଏବ˚ ସମସ୍ତେ ସୁଖରେ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ପର ଦିନ ସକାଳ ନ ହେଉଣୁ ଦେବପୁରୁଷଙ୍କ ନିକଟରେ ଲୋକେ ଧାଡ଼ି ଲଗାଇଲେ। ଜଣେ କେବଳ ଗୋଟିଏ ବର ମାଗିବାର ସର୍ତ୍ତ ରହିଲା। ଲୋକେ ରାତିସାରା ଏ ବାବଦରେ ବିଚାର କରି କ’ଣ ମାଗିବେ ସ୍ଥିର କରି ଆସିଥିଲେ। ତେଣୁ, ବର ଦେବା ପର୍ବ ଆରମ୍ଭ ହେବା ମାତ୍ରେ ସେମାନେ ମାଗିଚାଲିଲେ। ସମସ୍ତଙ୍କ ମୁହଁରୁ ଟଙ୍କା, ସୁନା, ଘର-ବାଡ଼ି, ଜାଗା-ଜମି, ସୁନ୍ଦରୀ ପତ୍ନୀ ଛଡ଼ା ଆଉ କିଛି ଶୁଭୁ ନ ଥିଲା। ଦେବପୁରୁଷ ସମସ୍ତଙ୍କୁ ତଥାସ୍ତୁ ବୋଲି କହୁଥିଲେ ଏବ˚ ତତ୍କ୍ଷଣାତ୍ ବର ଫଳିଯାଉଥିଲା। ଗାଁର ସବୁ ଲୋକ ମାଗିସାରିଲା ପରେ ଦେବପୁରୁଷ ଉଭେଇ ଗଲେ।
କିଛି ବର୍ଷ ପରେ ସେଇ ଗାଁରେ ପୁଣି ଥରେ ଦେବପୁରୁଷ ଉଭା ହେଲେ। ଏବେ ଗାଁରେ ଶୋଭା ପାଉଥିଲା ଉଚ୍ଚ ଉଚ୍ଚ ଅଟ୍ଟାଳିକା, ସୁନ୍ଦର ରାସ୍ତା-ଘାଟ। ଗାଁଟି ଅସମ୍ଭବ ଭାବେ ସମୃଦ୍ଧ ଦିଶୁଥିଲା। କିନ୍ତୁ ଗାଁ ଲୋକଙ୍କ ମୁହଁ ଆହୁରି ବିରସ ଦିଶୁଥିଲା। ଦେବପୁରୁଷ ସେମାନଙ୍କୁ ପଚାରିଲେ- ପୁଣି କ’ଣ ହେଲା? କାହିଁକି ସମସ୍ତେ ଏଡ଼େ ଉଦାସ? ତୁମେମାନେ ତ ଯାହା ଚାହୁଁଥିଲ ପାଇଲ! ଏବେ ପୁଣି କ’ଣ ହେଲା?
ପ୍ରତ୍ୟେକଙ୍କ ଉତ୍ତର ଥିଲା ପ୍ରାୟ ସମାନ- ମହାତ୍ମା, ସବୁ କିଛି ପାଇଗଲା ପରେ ଆଉ କିଛି ଅପ୍ରାପ୍ତ ରହିଲା ନାହିଁ। ଆମେ ସମସ୍ତେ ସମାନ ହୋଇଗଲୁ। ଜୀବନରେ ଆହ୍ବାନ ରହିଲା ନାହିଁ। ବୈଚିତ୍ର୍ୟ ରହିଲା ନାହିଁ। କିଛି ରହିଲା ନାହିଁ। ତେଣୁ ପୁଣି ବୀତସ୍ପୃହତା ଘୋଟି ଆସିଲା। ମନ ବିରସ ହୋଇ ଉଠିଲା।