ଥରେ ଭୀଷଣ ବନ୍ୟା ହେଲା। ଅନେକ ଲୋକ ଭାସିଗଲେ। କୌଣସିମତେ ଘରର ଚାଳ ଉପରେ ବସି ଜଣେ ସନ୍ନ୍ୟାସୀ ଓ ତାଙ୍କ ଚେଲା ନଈ ସୁଅରେ ଭାସିବାକୁ ଲାଗିଥିଲେ। ଦୈବାତ୍‌ ଗୋଟିଏ ଗଛର ମୋଟା ଶାଖା ଧରି ସେମାନେ ଉପରକୁ ଚଢ଼ିଗଲେ ଓ ସେଠାରେ ବସିରହିଲେ। ସେଇ ଶାଖାରେ ଅସହାୟ ଭାବରେ ବସିଥିଲା ଛୋଟ ପିଲାଟିଏ। ପାଣିର ପ୍ରକୋପ ଲଗାତାର ବଢ଼ିବାକୁ ଲାଗିଥାଏ। କିଏ କୁଆଡ଼େ ଭାସି ଯାଉଥାଆନ୍ତି। ଚାରିଆଡ଼େ ହାହାକାର।

Advertisment

କିଛି ସମୟ ବସିଲା ପରେ ଚେଲା ସାଧୁଙ୍କୁ ପଚାରିଲା- ଏ କି ଅକଳ୍ପନୀୟ ଦୁଃଖ! ଆମ ସହିତ ଜଡ଼ସଡ଼ ଅବସ୍ଥାରେ ବସି ରହିଥିବା ପିଲାଟିକୁ ଦେଖନ୍ତୁ। ୟାକୁ ଦେଖିଲେ କାହା ଆଖିରେ ବା ଲୁହ ଆସି ନ ଯିବ। ନିଜେ ଈଶ୍ବର କାନ୍ଦି ପକାଉଥିବେ।

ସନ୍ନ୍ୟାସୀ କିଛି ସମୟ ପରେ କହିଲେ- ନା, ଈଶ୍ବର ଏବେ ଆଦୌ କାନ୍ଦୁ ନ ଥିବେ। କାରଣ ସେ ପ୍ରକୃତିକୁ ସର୍ଜନା କରିଛନ୍ତି। ଆଜି ଯାହା ଆମେ ଦେଖୁଛେ, ତାହା ହେଉଛି ପ୍ରକୃତିର ନିୟମ। ଏହା ହୃଦୟବିଦାରକ ନିଶ୍ଚୟ, କିନ୍ତୁ ଏହା ହିଁ ନିୟମ। ଏଥିରେ ଈଶ୍ବର କାନ୍ଦିବେ ନାହିଁ।

ଗଛ ଡାଳରେ ତିନି ଦିନ ରହିବା ପରେ ପାଣି ଟିକିଏ କମିଲା। ତଥାପି ନଈରେ ଚାଲୁଥାଏ ଉଛୁଳା ପାଣି। ଗୋଟିଏ ହୁଲି ଡଙ୍ଗା ଆସି ଲାଗିଲା। ସେଇ ଡଙ୍ଗାରେ ମାତ୍ର ଦୁଇ ଜଣଙ୍କୁ ନେବାର କ୍ଷମତା ଥିଲା। ଚେଲା ଏହା ଶୁଣି ଖପ୍‌ କିନା ଡଙ୍ଗା ଭିତରକୁ ଡେଇଁ ପଡ଼ିଲା ଓ ସନ୍ନ୍ୟାସୀଙ୍କୁ କହିଲା- ଚାଲି ଆସନ୍ତୁ ଆଜ୍ଞା।

ସନ୍ନ୍ୟାସୀ କିନ୍ତୁ ନିଜେ ନ ଯାଇ ସେଇ ପିଲାଟିକୁୁ ଡଙ୍ଗା ଭିତରକୁ ଓହ୍ଲାଇ ଦେଇ ଚେଲାକୁ କହିଲେ- ବୁଝିଲୁ ଗଧ, ମୁଁ ଯଦି ୟାକୁ ଏଠି ଛାଡ଼ି ଡଙ୍ଗାରେ ନିଜେ ଚାଲିଯିବି, ତେବେ ଈଶ୍ବର କାନ୍ଦିବେ। କାରଣ ଈଶ୍ବର ଯେଉଁ ଉଦ୍ଦେଶ୍ୟରେ ମଣିଷ ଗଢ଼ିଛନ୍ତି, ଏହା ତାହା ନୁହେଁ।