ଆହୁରି ଭଲ ଦିନ ଆସିବ

କଥାଟିଏ - ଯାଯାବର

ଥରେ ମୁଲ୍ଲା ନସିରୁଦ୍ଦିନ ଓ ତାଙ୍କ ସାଙ୍ଗ ସମୁଦ୍ରରେ ଯାତ୍ରା ଆରମ୍ଭ କଲେ। କାହୁଁ କେଜାଣି ମାଡ଼ି ଆସିଲା ତୋଫାନ। ସେଥିରେ ସେମାନଙ୍କ ଡଙ୍ଗା ଅଥଳ ସମୁଦ୍ରରେ ବୁଡ଼ିଗଲା। ଏଇ ସମୟରେ ସେଇ ଡଙ୍ଗାର ଭଙ୍ଗା କାଠ ଖଣ୍ତେ ଭାସି ଆସିଲା। ମୁଲ୍ଲା ଓ ତାଙ୍କ ସାଙ୍ଗ ପ୍ରାଣ ବିକଳରେ ସେଇ କାଠ ପଟା ଆଶ୍ରାରେ ଭାସିବାକୁ ଲାଗିଲେ। ଏମିତି ଭାସୁଭାସୁ ସେମାନେ ଲାଗିଲେ ଗୋଟିଏ ଦ୍ବୀପରେ। ସେ ସେଠାରେ ପହଞ୍ଚିଲା ବେଳକୁ ଦୁହେଁ ମୁମୂର୍ଷୁ ହୋଇଯାଇଥିଲେ। କୂଳ ଉପରକୁ ଉଠିବାର ଅନେକ ସମୟ ପରେ ଉଭୟେ ସାଷ୍ଟମ ହେଲେ। ପ୍ରଥମେ ସେମାନଙ୍କ ଖୁସିର ସୀମା ରହିଲା ନାହିଁ। କିନ୍ତୁ ଅଳ୍ପ ସମୟ ପରେ ପୁଣି ବିରସତା ଘୋଟି ଆସିଲା। କାରଣ ସେମାନଙ୍କ ପାଖରେ କିଛି ସମ୍ବଳ ନ ଥିଲା। ସେ ଦ୍ବୀପଟି ବିଷୟରେ ସେମାନଙ୍କର କିଛି ଧାରଣା ନ ଥିଲା। ସେମାନେ ଭାରି କଷ୍ଟରେ ଦିନ କାଟିଲେ। କିଛି ଦିନ ପରେ ସେମାନେ ଏୟା ବି ଜାଣିଲେ ଯେ ଦ୍ବୀପର ଅଧିବାସୀମାନେ ବାହାର ଲୋକଙ୍କୁ ଭଲ ପାଆନ୍ତି ନାହିଁ। ଦେଖିଲେ ମାରି ଦିଅନ୍ତି। କିନ୍ତୁ କିଛି କରିବାର ଉପାୟ ନ ଥିଲା।

ଅନେକ ଦିନ ଚାଲିଗଲା। ଦୁଇ ଜଣଯାକ ସେଇ ଦ୍ବୀପରେ ଜଙ୍ଗଲୀ ଜନ୍ତୁଙ୍କ ଭଳି ହୋଇଗଲେ। କିନ୍ତୁ ମୁଲ୍ଲାଙ୍କ ବନ୍ଧୁ ଏଇ ଅବସ୍ଥାରେ ପାଗଳ ଭଳି ହୋଇଯାଉଥିବା ବେଳେ ଦେଖିଲେ ମୁଲ୍ଲା ସେମିତି ଶାନ୍ତ ଅଛନ୍ତି।

ଦିନେ ସେ ମୁଲ୍ଲାଙ୍କୁ କହିଲେ- ତୁମେ କେଉଁଥିରେ ଗଢ଼ା ଯେ ଏଭଳି ସ୍ଥିତିରେ ବି ଶାନ୍ତ ରହି ପାରୁଛ?

ମୁଲ୍ଲା ଅଳ୍ପ ହସି କହିଲେ- ମୁଁ ଯାହା ଦେଖୁଛି ତୁମେ ତାହା ଦେଖିପାରୁନାହଁ ବୋଲି ଏମିତି ହେଉଛ। ଆମ ଡଙ୍ଗା ବୁଡ଼ିଗଲା ପରେ କାଠ ପଟାଟି ଆମକୁ ମିଳିଲା ନା ନାହିଁ? ପୁଣି ଆମେ ଭାସିଭାସି ଗୋଟିଏ ଦ୍ବୀପରେ ଲାଗିଲେ ନା ନାହିଁ? ପୁଣି ଯାହା ଯେମିତି ହେଉ ଆମେ ଏଠି ଏତେ ଦିନ ବଞ୍ଚି ରହିଛନ୍ତି ନା ନାହିଁ? ସବୁ ଈଶ୍ବରଙ୍କ ଦୟାରୁ ମିଳିଛି। ଯାହା ମିଳିଛି ଯଥେଷ୍ଟ। ବଞ୍ଚି ରହିଲେ ଆହୁରି ଭଲ ଦିନ ଆସିବ।

ସମ୍ବନ୍ଧିତ ଖବର