ଗ୍ରନ୍ଥର ମୂଲ୍ୟ

କଥାଟିଏ - ଯାଯାବର

ଜଣେ ବିଦ୍ବାନ ଥିଲେ। ତାଙ୍କ ପାଖରେ ଥିଲା କିଛି ଅତି ବିରଳ ଓ ପ୍ରାଚୀନ ଗ୍ରନ୍ଥ। ସେସବୁକୁ ସେ କୋଟିନିଧି ଭଳି ଅତି ଯତ୍ନରେ ରଖିଥିଲେ। ଜଣେ ପୁସ୍ତକ ସୌଦାଗର ସେ କଥା ଜାଣିପାରିଲେ। ତାକୁ କିଣି ଆଣି ଅଧିକ ମୂଲ୍ୟରେ ବିକ୍ରି କରିବା ଲାଗି ସେ ଚିନ୍ତା କଲେ। ସେ ଯାଇ ବିଦ୍ବାନଙ୍କୁ କହିଲେ- ଆପଣ ଯାହା ମୂଲ୍ୟ ମାଗୁଛନ୍ତି ମୁଁ ଦେବାକୁ ପ୍ରସ୍ତୁତ। କହିବେ ଯଦି ଏକ ସହସ୍ର ସୁବର୍ଣ୍ଣ ମୁଦ୍ରା ଏଇ କ୍ଷଣି ଦେଇପାରେ। ଆପଣ ମୋତେ ସେଇ ପ୍ରାଚୀନ ଗ୍ରନ୍ଥ ସବୁ ଦିଅନ୍ତୁ।

ବିଦ୍ବାନ କହିଲେ- ନା, ଆଜ୍ଞା, ମୁଁ ସେସବୁ ଦେଇ ପାରିବି ନାହିଁ। କାରଣ ମୋ ଲାଗି ସେ ସବୁ ମୂଲ୍ୟାୟନର ଊର୍ଦ୍ଧ୍ବରେ। ସୌଦାଗର ଯେତେ ଅନୁରୋଧ କଲେ ମଧୢ ବିଦ୍ବାନ ରାଜି ହେଲେ ନାହିଁ।
ଏହା ଶୁଣୁଥିଲା ବିଦ୍ବାନଙ୍କ ଏକମାତ୍ର ପୁଅ। ସେ ଥିଲା ନିର୍ବୋଧ। ସେ ମନେ ମନେ ଭାବିଲା ବାପା, ସତରେ କେତେ ବୋକା! ଏଇ ପୁରୁଣା ବହି କିଛି ବିକି ଦେଲେ ତ ଅନେକ ସ˚ପତ୍ତି ମିଳି ଯାଆନ୍ତା! ବାପା ସେମିତି କରୁନାହାନ୍ତି କାହିଁକି?

ଅନେକ ବର୍ଷ ପରେ ବିଦ୍ବାନଙ୍କ ମୃତ୍ୟୁ ହେଲା। ସାଙ୍ଗେ ସାଙ୍ଗେ ତାଙ୍କ ପୁଅ ବହିତକ ଧରି ସୌଦାଗରଙ୍କ ଘରେ ପହଞ୍ଚିଲା। ସେତେବେଳକୁ ସୌଦାଗର ଅତ୍ୟନ୍ତ ବୃଦ୍ଧ। ବ୍ୟବସାୟ ବୁଝୁଥାଏ ତାଙ୍କର ଏକମାତ୍ର ପୁତ୍ର। କିନ୍ତୁ ସେ ଥିଲା ଗୁଣୀ। ବିଦ୍ବାନଙ୍କ ପୁଅ ଠାରୁ ସବୁ କଥା ଶୁଣି ସେ ଭାବିଲା ଯେ ଏ ବହି ସବୁ ଏବେ ନିରାପଦ ହାତରେ ନାହିଁ। ତେଣୁ ସେ ତାକୁ ବହୁତ ମୂଲ୍ୟ ଦେଇ କିଣିନେଲା। କିନ୍ତୁ ସେ ସବୁକୁ ଆଉ କାହାକୁ ବିକିଲା ନାହିଁ। କାରଣ ସେ ଜାଣିଥିଲା ଯେ ଏଭଳି ଅମୂଲ୍ୟ ଗ୍ରନ୍ଥ ମୂଲ୍ୟାୟନର ଊର୍ଦ୍ଧ୍ବରେ।

ସମ୍ବନ୍ଧିତ ଖବର