ଜଣେ ପୂଜକ ଥିଲେ। ସେ ଥିଲେ ବହୁତ ନିଷ୍ଠାପର। ଈଶ୍ବରଙ୍କ ନୀତିକାନ୍ତି ସ˚ପାଦନ କରିବାରେ ତିଳେ ହେଲେ ଅବହେଳା କରୁ ନ ଥିଲେ। ସବୁ ପ୍ରକାର ନିୟମ ମାନି ଚଳୁଥିଲେ। ସେ ଅନେକ ସମୟରେ ଭାବୁଥିଲେ ଯେ ତାଙ୍କ ନିଷ୍ଠାରେ ଖୁସି ହୋଇ ଅନ୍ତତଃ ଥରେ ଭଗବାନ ତାଙ୍କୁ ଦେଖା ଦେବେ। ସ୍ବଚକ୍ଷୁରେ ନ ହେଲା ନାହିଁ, ସ୍ବପ୍ନରେ ଥରେ ଆସିବେ। କିନ୍ତୁ ତାହା କେବେ ବି ହେଲାନାହିଁ। ଭଗବାନଙ୍କୁ ଯେତେ ସୁମରଣା କରି ଶୋଇବାକୁ ଗଲେ ବି ସ୍ବପ୍ନରେ ଭଗବାନଙ୍କ ଦେଖା ମିଳିଲା ନାହିଁ।

Advertisment

ତେବେ ପୂଜକ ଯେହେତୁ ସବୁ ଦିନ ଦେବନୀତି କରୁଥିଲେ, ଥରେ ଭଗବାନ ଆସିଲା ଭଳି ଲାଗିଲା। କାରଣ ଶୋଇଥିବା ବେଳେ ସେ ଛାଇ ନିଦରେ ଶୁଣିଲେ ତାଙ୍କ କାନରେ କେହି ଜଣେ ଦୁଇ ପଦ କହୁଛନ୍ତି। ଭାରି ଗୁରୁ ଗମ୍ଭୀର ସ୍ବର। ସେ ଶୁଣିଲେ- ଯଦି ତୋ ଅନ୍ତରରେ ତୁ ନିଜେ ଭରପୂର ହୋଇ ରହିବୁ, ତେବେ ସେଠି ମୋ ଲାଗି ମୁଁ ଜାଗା ପାଇବି କେମିତି? ପ୍ରଥମେ ତୁ ତୋ ଅନ୍ତରରୁ ନିଜକୁ ହଟା। ତାହା ହେଲେ ଯାଇ ମୁଁ ତୋ ଅନ୍ତରରେ ରହିପାରିବି। ତା’ ପରେ ସ୍ବପ୍ନରେ କାହିଁକି, ନିତି ଦିନ ତୁ ମୋତେ ଦେଖିପାରିବୁ।

ପୂଜକଙ୍କ ନିଦ ଭାଙ୍ଗିଗଲା। ସେ ଏ କଥାର ଗୂଢ଼ ମର୍ମ ବୁଝିପାରିଲେ। ନିଜ ମନରୁ ‘ମୁଁ କାର’କୁ ବା ଅହ˚ ଭାବକୁ ନ ହଟାଇଲା ଯାଏଁ ଯେ ନିଜ ହୃଦୟରେ ପରମେଶ୍ବରଙ୍କ ଲାଗି ସ୍ଥାନ ନାହିଁ, ଏ କଥା ସେ ବୁଝିପାରିଲେ।