ବେଳେ ବେଳେ ଆମର ବଦ୍ଧମୂଳ ଧାରଣା ସତକୁ ସ୍ବୀକାର କରେନାହିଁ। ତାକୁ ନେଇ କଥାଟିଏ।
ଆମେରିକାର କୌଣସି ଏକ ଗାଁରେ ଦଶ ବର୍ଷର ପିଲାଟିଏ ସ୍କୁଲରେ ଆସି କହିଲା-ଏମିତି ବିରାଡ଼ିଟିଏ ଦେଖିଲି, ଯାହାର ଦୁଇଟି ଲାଞ୍ଜ। ସାଙ୍ଗମାନେ ହସି ଉଠିଲେ। କିନ୍ତୁ ପିଲାଟି ଦୃଢ଼ ଭାବେ କହିଲା- ମୁଁ ଦେଖିଛି। କଥା ସାର୍ଙ୍କ କାନକୁ ଗଲା। ସାର୍ ପଚାରିବାରୁ ପିଲାଟି ସେଇ କଥା କହିଲା। ସାର୍ ତା ଗାଲରେ ଚଟକଣାଟିଏ ଲଗାଇ ଦେଇ କହିଲେ- ମିଥ୍ୟାବାଦୀ।
ପିଲାଟି ଦୁଃଖରେ କାନ୍ଦି ପକାଇଲା। ସ୍କୁଲ୍ ପରେ ଘରକୁ ନ ଯାଇ ବିରାଡ଼ିକୁ ଖୋଜିବାକୁ ଚାଲିଗଲା। ଅନେକ ଖୋଜିବା ପରେ ସେ ବିରାଡ଼ିଟିକୁ ଦେଖି ପାରିଲା, କିନ୍ତୁ ତାକୁ ଧରି ପାରିଲା ନାହିଁ। ଘରକୁ ଫେରିବା ବେଳକୁ ରାତି ହୋଇଯାଇଥିଲା। ଘରେ ବାପା ଅଗ୍ନିଶର୍ମା ହୋଇ ବସିିଥିଲେ। ଏଇ ଭିତରେ ସ୍କୁଲ ଶିକ୍ଷକ ପିଲାଟିର ଅବାନ୍ତର ଜିଦି ବାବଦରେ ତା ବାପାଙ୍କୁ କହି ସାରିଥିଲେ। ତେଣୁ ପିଲାଟି ଦୁଇଟି ଲାଞ୍ଜ ଥିବା ବିରାଡ଼ି କଥା କହୁ କହୁ ସେ ନିଜକୁ ସମ୍ଭାଳି ନ ପାରି ତାକୁ ବାଡେ଼ଇ ପକାଇଲେ। କିନ୍ତୁ ପିଲାଟି ତା ଜିଦିରେ ଅଟଳ ଥିଲା।
ଦୁଇ ଦିନ ଭିତରେ ଗାଁରେ ପ୍ରଘଟ ହୋଇଗଲା ଯେ ପିଲାଟି ପାଗଳ ହୋଇଯାଇଛି। ଅବାନ୍ତର କଥା କହୁଛି। ତୃତୀୟ ଦିନ ପିଲାଟିକୁ କେହି ଦେଖିପାରିଲେ ନାହିଁ। ଅନେକ ଖୋଜାଖୋଜି କଲା ପରେ ପିଲାଟିର ମୃତ ଦେହ ଗୋଟିଏ ଗଛରୁ ଝୁଲୁଥିବା ଅବସ୍ଥାରେ ଆବିଷ୍କାର କରାଗଲା। ପିଲାଟି ଆତ୍ମହତ୍ୟା କରିଥିଲା।
ଏବେ ଦୁଃଖରେ ମ୍ରିୟମାଣ ଗ୍ରାମବାସୀ ତାକୁ କବର ଦେବା ଲାଗି ଶ୍ମଶାନକୁ ନେଇଗଲେ। ହଠାତ୍ ସେଠାରେ ଜଣେ କେହି ଚିତ୍କାର କରି ଉଠିଲା- ହେଇ ଦେଖ। ଦେଖାଗଲା ଯେ ଗୋଟିଏ କବରରୁ ଆଉ ଗୋଟିଏ କବରକୁ ଡେଇଁ ଡେଇଁ ଯାଉଛି ବିରାଡ଼ିଟିଏ, ଯାହାର ଦୁଇଟି ଲାଞ୍ଜ।