ଗୋଟିଏ ଫଳର ଦୁଇଟି ମଞ୍ଜି, ସୁତରା˚ ଦୁଇ ଭାଇ। ସେମାନେ ମାଟି ଉପରେ ପଡ଼ି ସେମାନଙ୍କ ଜୀବନ ଯାତ୍ରା ଆରମ୍ଭ କଲେ। ଗୋଟିଏ ମଞ୍ଜି ବିଚାର କଲା ମାଟି ତଳକୁ ଯିବ। ଗଭୀରରୁ ଆହୁରି ଗଭୀରକୁ। ସେ ତାର ପାଦକୁ ତଳକୁ ବଢ଼ାଇଲା। ସେ ଦେଖିଲା ପାଦ ଯେତିକି ତଳକୁ ଯାଉଛି ତାର ମୁଣ୍ତ ସେତିକି ଦର୍ପ ସହକାରେ ଉପରକୁ ଉଠୁଛି। ତାକୁ ଖୁବ୍‌ ଖୁସି ଲାଗିଲା। ଖୁବ୍‌ ହୃଷ୍ଟପୁଷ୍ଟ ହୋଇ ସେ ଉପରକୁ ଉଠିଲା।

Advertisment

ସେ ତାର ଭାଇକୁ କହିଲା, ଭାଇ, ତୁ ବି ତୋ ପାଦ ତଳକୁ ବଢ଼ା। ମୁଣ୍ତକୁ ଉପରକୁ ଉଠାଇ ଜିଇବା ଶିଖ। କିନ୍ତୁ, ସେ ମଞ୍ଜି କହିଲା, ଭାଇ ମୋତେ ଭୟ ଲାଗୁଛି। ତଳକୁ ଗଲା ବେଳେ କେତେ ଗୋଡ଼ି, ପଥର, କେତେ କୀଟପତଙ୍ଗଙ୍କୁ ସାମନା କରିବାକୁ ପଡ଼ିବ। ପୁଣି ଉପରକୁ ବଢ଼ିଲେ, କିଏ ମୋ ଦେହରୁ ଫୁଲ ଛିଣ୍ତାଇବ, ତ କିଏ ଫଳ ପତ୍ର ଓଲାରିବ। ମୁଁ ଏଇଠି ଭଲରେ ଅଛି।

ଏମିତି କଥାବାର୍ତ୍ତା ଚାଲିଥିବା ବେଳେ କୁରାଢ଼ି ଧରି ଆସିଲା ଜଣେ ଲୋକ। ମଞ୍ଜିଟି କହିଲା, ଭାଇ ତୋତେ କହୁ ନ ଥିଲି? ହେଇ ଦେଖ ଏବେ ସେ ଲୋକ ତୋତେ ହାଣିବା ଆରମ୍ଭ କରିବ।

ସତକୁ ସତ କାଠୁରିଆ ଗଛ ହାଣିବାକୁ ଆରମ୍ଭ କଲା। କିଛି ଡାଳ କାଟିଲା ପରେ ସେ କହିଲା, ଫଳନ୍ତିି ଗଛ, ଆଉ ହାଣିବି ନାହିଁ।

ସେ ଚାଲିଗଲା ପରେ ଗଛଟି କହିଲା , ମୋତେ ଯନ୍ତ୍ରଣା ହେଲା ସତ, କିନ୍ତୁ ଦେଖ ମୁଁ ତଥାପି ବଞ୍ଚିବି। କାରଣ, ମୋ ଚେର ମୋତେ ବଞ୍ଚାଇ ରଖିବ। ମୋ ଫଳ ଆଜି କାଠୁରିଆର ମନରେ ବିବେକ ଜାଗ୍ରତ କଲା। ତାହା ବି ଦେଖ।

ଆର ମଞ୍ଜିଟି କହିଲା, ଧନ୍ୟବାଦ। ତୁ ମୋତେ କେବଳ ବଞ୍ଚିବାର ନୁହେଁ, ବଞ୍ଚି ରହିବାର ବାଟ ଶିଖାଇଲୁ।