ଥରେ ଜଣେ ଲୋକ ଗୁରୁଙ୍କୁ କହିଲେ -ମହାତ୍ମା, ମୋତେ ଏମିତି କିଛି ଶକ୍ତି ଦିଅନ୍ତୁ ଯାହା ଫଳରେ ମୁଁ ଅନ୍ୟ ଲୋକଙ୍କ ଅନ୍ତର ଭିତରେ କ’ଣ ସବୁ ଚାଲିଛି, ସବୁ ଜାଣି ପାରିବି।
ଗୁରୁ ଥିଲେ ସିଦ୍ଧ ପୁରୁଷ। ସେ କହିଲେ- ହଉ, ଏଣିକି ତୁ ଯେଉଁ ଲୋକକୁ ଚିହ୍ନିବାକୁ ଚାହିଁବୁ ତା’ ଅନ୍ତରରେ କ’ଣ ଅଛି ତାହା ତୋ’ ଆଗରେ ପ୍ରାଞ୍ଜଳ ହୋଇଯିବ। କିନ୍ତୁ ତୁ ନିଶ୍ଚିତ ତ ଏଭଳି ଏକ ବର ଚାହୁଁଛୁ?
ସେହି ବ୍ୟକ୍ତି କହିଲା- ଆଜ୍ଞା, ତାହା ହିଁ ଦିଅନ୍ତୁ।
ସିଦ୍ଧ ପୁରୁଷ କହିଲେ- ତେବେ, ତାହା ହିଁ ହେଉ!
ଲୋକଟି ଏବେ ମହା ଆନନ୍ଦରେ ଘରକୁ ଗଲା। ବାଟରେ ତାର ପରମ ମିତ୍ରଙ୍କ ସହିତ ଦେଖା ହେଲା। ମିତ୍ର ହସି ହସି ତାକୁ ସ୍ବାଗତ କଲେ। ସେହି ବ୍ୟକ୍ତି ଏବେ ମିତ୍ରଙ୍କ ଅନ୍ତର ଭିତରକୁ ପ୍ରବେଶ କରିବାକୁ ଇଚ୍ଛା କଲା।
ମିତ୍ରଙ୍କ ମନ କଥା ତା’ ଆଗରେ ବହି ଭଳି ଖୋଲିଗଲା। ଏହା ସେହି ବ୍ୟକ୍ତିକୁ ଏକ ଶକ୍ତ ପ୍ରହାର ଭଳି ଲାଗିଲା। କାରଣ ମିତ୍ର ପ୍ରକୃତରେ ତାକୁ ଦେଖି ଖୁସି ନ ଥିଲେ। ମିତ୍ରଙ୍କ ମନରେ ତା’ ପ୍ରତି ଈର୍ଷା ଭାବ ଥିଲା। ସେହି ବ୍ୟକ୍ତି ଚାଷବାସରେ ଲାଭ କରିଥିବା ସଫଳତାରେ ମିତ୍ର ପ୍ରକୃତରେ କାତର ହୋଇ ଯାଇଥିଲେ।
ସେହି ବ୍ୟକ୍ତି ଏବେ କିଛି ନ କହି ନିଜ ବାଟରେ ଚାଲିଲା। ଏମିତି କିଛି ଦିନ ଗଲା। ସେହି ବ୍ୟକ୍ତି ଯେତେ ଲୋକଙ୍କ ଅନ୍ତର ଭିତରଟା ପଢ଼ିବାକୁ ଉଦ୍ୟମ କଲା ସେତେସେତେ ଅଧିକ ଦୁଃଖୀ ହେବାକୁ ଲାଗିଲା। କାରଣ କୌଣସି ଜଣେ ହେଲେ ମନୁଷ୍ୟଙ୍କୁ ସେ ଛନ୍ଦ, କପଟ, ଅହ˚କାର, ଈର୍ଷା ଇତ୍ୟାଦି ବିନା ପାଇଲା ନାହିଁ।
ଏବେ ସେ ଗୁରୁଙ୍କ ନିକଟକୁ ଫେରିଲା ଏବ˚ ତାଙ୍କୁ ସେହି ବରଟି ଫେରାଇ ନେବାକୁ କହିଲା।
ସିଦ୍ଧ ପୁରୁଷ କହିଲେ- ମୁଁ ତାହା ହିଁ ଜାଣିଥିଲି। ଏ ମଣିଷ ବଡ଼ ମାୟାବୀ। ତୁମେ ଯଦି ମଣିଷର ମନକୁ ଆବିଷ୍କାର କରିବାକୁ ଚେଷ୍ଟା କରିବ ତେବେ ଦୁଃଖୀ ହେବ। କାରଣ ମଣିଷ ବାହାରେ ଯାହା, ଭିତରେ ତାହା ନୁହେଁ। ତୁମେ ନିଜେ ମଧୢ ସେଥିରୁ ଅଲଗା ନୁହେଁ। ତେଣୁ ମଣିଷ ଯାହା ଓ ଯେମିତି ସେମିତି ଗ୍ରହଣ କର।