ଥରେ ଜଣେ ସନ୍ନ୍ୟାସୀ ଗୋଟିଏ ପରିବାର ଦ୍ବାରା ଆପ୍ୟାୟିତ ହେବା ପରେ ଖୁସି ହୋଇ ଗୃହ ମାଲିକଙ୍କୁ ଗୋଟିଏ କ୍ଷୁଦ୍ର ବୋତଲରେ ଟୋପାଟିଏ ଜଳ ଦେଇ କହିଲେ, ଏହା ଅମୃତର ବିନ୍ଦୁ। ଏହାକୁ ଯେ ପିଇବ ସେ ଅମର, ଅଜର ଓ ରୋଗଶୂନ୍ୟ ହେବ। ତୁମର ବ୍ୟବହାରରେ ଖୁସି ହୋଇ ମୁଁ ଏହା ତୁମକୁ ଦେଲି।

Advertisment

ସେହି ବ୍ୟକ୍ତି ସନ୍ନ୍ୟାସୀଙ୍କୁ କହିଲେ- ଆପଣ ଟିକିଏ ଅପେକ୍ଷା କରନ୍ତୁ। ମୁଁ ଆସୁଛି।

ଏହା କହି ସେ ଘର ଭିତରକୁ ଗଲେ ଓ କିଛି ସମୟ ପରେ ଫେରି ଆସି ବୋତଲଟିକୁ ସନ୍ନ୍ୟାସୀଙ୍କୁ ଫେରାଇ ଦେଇ କହିଲେ- ମହାତ୍ମା ଆପଣ ଏହାକୁ ନେଇ ଯାଆନ୍ତୁ। ଏହା ମୋର କୌଣସି କାମରେ ଆସିବ ନାହିଁ।

ସନ୍ନ୍ୟାସୀ ପଚାରିଲେ- କାହିଁକି? ସେହି ବ୍ୟକ୍ତି କହିଲେ ଏହା ପ୍ରଥମେ ମୋ ପୁଅକୁ ଦେଇ କହିଲି ତୁ ଏହାକୁ ପିଇଦେ। କିନ୍ତୁ ପିଲାଟି ସବୁ ଶୁଣି ଭାବିଲା- ଯଦି ଏମିତି କଥା ତେବେ ଏହା ମୁଁ ମୋ ଭଉଣୀକୁ ଦିଏ। କାରଣ ମୁଁ ତାକୁ ମୋ ଠାରୁ ଅଧିକ ଭଲ ପାଏ। କିନ୍ତୁ ତା’ ଭଉଣୀ ଅର୍ଥାତ୍‌ ମୋ ଝିଅ ତାହା ପାଇ କହିଲା- ମୋ ମାଆ ଆମ ପରିବାର ଲାଗି କେତେ କ’ଣ କରୁଛି। ସେ ଏହି ଅମୃତ ବିନ୍ଦୁ ପାଉ। ତେଣୁ ସେ ତାହା ନେଇ ତା’ ମାଆକୁ ଦେଲା। ତା’ ମାଆ କହିଲା- ମୋ ସ୍ବାମୀ ଓ ପିଲାମାନେ ଏହାକୁ ପାଇପାରିବେ ନାହିଁ। ମୁଁ ଏକା ଅମରତ୍ବ ଓ ଅଜରତ୍ବ ପାଇ ଲାଭ କ’ଣ? ତେଣୁ ସେ ତାହା ମୋତେ ଫେରାଇ ଦେଲା।

ସନ୍ନ୍ୟାସୀ ତାହାକୁ ପାଖରେ ରଖିଲେ ଓ କହିଲେ- କେଉଁଟା ଏକ ସୁଖୀ ପରିବାର, ତାହା ଜାଣିବା ଲାଗି ଏହି ଅମୃତ ବୁନ୍ଦାକ ଢେର କାମ କରେ।

ଏହା କହି ସେ ଚାଲିଗଲେ।