ଦୁଇ ଦୃଷ୍ଟିକୋଣ

କଥାଟିଏ - ଯାଯାବର

ଦୁଇ ଜଣ ବିଦ୍ବାନ ଗୋଟିଏ ପ୍ରସଙ୍ଗକୁ ନେଇ ପ୍ରବଳ ଯୁକ୍ତିତର୍କ କରୁଥିଲେ। ସେମାନଙ୍କ ସ୍ବର କ୍ରମେ ବେଶ୍ ଉଚ୍ଚ ହେବାକୁ ଲାଗିଲା। ଏହି ସମୟରେ ସେଠାରେ ପହଞ୍ଚିଲେ ଗୁରୁ ୟୁଜି କୃୃଷ୍ଣମୂର୍ତ୍ତି। ସେ ସେମାନଙ୍କୁ ଚୁପ୍ କରାଇ ଗୋଟିଏ କାହାଣୀ କହିଲେ।

କାହାଣୀଟି ଥିଲା ଏହି ପରି। ଗୋଟିଏ ଗଛ ମୂଳରେ କୁକୁରଟିଏ ଶୋଇଥିଲା। ଗଛର ଡାଳ ଉପରେ ବିରାଡ଼ିଟିଏ ଶୋଇ ସ୍ବପ୍ନଟିଏ ଦେଖି ହସି ହସି କୁରୁଳି ଉଠୁଥିଲା। କୁୁକୁର ଏହା ଦେଖି ବିରାଡ଼ିକୁ ପଚାରିଲା- କିରେ, ଭାରି ଖୁସି ଦେଖୁଛି! ଏମିତି ହସୁଛୁ କାହିଁକି?

ବିରାଡ଼ି କହିଲା- କାଲି ମୁଁ ପୁରାଣ ପଢ଼ି ଶୋଇଥିଲି ତ ସେଇଥିରେ ପଢିଥିବା ଘଟଣାଟିଏ ସ୍ବପ୍ନରେ ଦେଖି ହସୁଥିଲି। ଘଟଣାଟି ହେଉଛି ଥରେ ଏମିତି ଅବସ୍ଥା ହେଲା ଯେ ବିରାଡ଼ିମାନେ ଖାଇବାକୁ ପାଇଲେ ନାହିଁ। ଭଗବାନ ଏହା ଦେଖି ବର୍ଷା କଲେ। କିନ୍ତୁ ତାହା ପାଣି ବର୍ଷା ନ ଥିଲା, ଥିଲା ମୂଷାଙ୍କ ବର୍ଷା।

କୁକୁର କହିଲା- ତୋତେ ଲାଜ ନାହିଁ ମୂର୍ଖ! ତୁ‌ କେବେ ଠାରୁ ପୁରାଣ ପଢ଼ିଲୁଣି? ମୁଁ ପୁରାଣ ପଢ଼େ। କିନ୍ତୁ ସେଥିରେ ‌ଯାହା ଲେଖା ଯାଇଛି ତାହା ହେଲା ଏମିତି ପରିସ୍ଥିତିରେ ଭଗବାନ ଶୁଖିଲା ହାଡ଼ର ବର୍ଷା କରନ୍ତି।

କଥାଟି କହି ସାରି ୟୁଜିକେ କହିଲେ- ଦୁହେଁ ଠିକ କହୁଥିଲେ। କିନ୍ତୁ ସେମାନେ ଜାଣି ନ ଥିଲେ ଯେ ବିରାଡ଼ିମାନଙ୍କ ପୁରାଣ କୁକୁରମାନଙ୍କ ପୁରାଣ ଠାରୁ ଭିନ୍ନ। ଏବେ ଆପଣ ଦୁହେଁ ଏ କଥା ବି ବୁଝନ୍ତୁ ଏବଂ ଯୁକ୍ତିତର୍କ ନ କରି ପରସ୍ପରର ଦୃଷ୍ଟିକୋଣକୁ ବୁଝନ୍ତୁ।

ସମ୍ବନ୍ଧିତ ଖବର