ଜଣେ ବିଦ୍ବାନ ବିବାହ କଲେ। ତାଙ୍କ ପତ୍ନୀ ଥିଲେ ମାତ୍ରାତିରିକ୍ତ କ୍ଷଣକୋପୀ। ରାଗି ଗଲେ ତାଙ୍କ ପାଟିକୁ ଯାହା ଆସୁଥିଲା ତାହା କହି ଯାଉଥିଲେ। ତେଣୁ ବିଦ୍ବାନଙ୍କ ଭାଗ୍ୟରେ ଏମିତି ନିରନ୍ତର ଶୋଧା ଶୁଣିବାର ଥିଲା।
କିନ୍ତୁ ବଡ଼ କଥା ହେଲା ବିଦ୍ବାନ ଥିଲେ ଅତ୍ୟନ୍ତ ସ୍ଥିତପ୍ରଜ୍ଞ। ତାଙ୍କର ପ୍ରଚୁର ଧୈର୍ଯ୍ୟ ଥିଲା। ସେ କେବେ ବି ପତ୍ନୀଙ୍କ କଥାରେ ରାଗୁ ନ ଥିଲେ ବା ବିଚଳିତ ହେବା ଭଳି ଲାଗୁ ନ ଥିଲେ। କିନ୍ତୁ ତାଙ୍କର ଏ ସ୍ବଭାବକୁ ସମସ୍ତେ ସମାଲୋଚନା କରୁଥିଲେ। ସମସ୍ତେ କହୁଥିଲେ ବିଦ୍ବାନ ଜଣେ ଦୁର୍ବଳ ବ୍ୟକ୍ତି। ସେ ନିଜ ପତ୍ନୀଙ୍କୁ ଡରି ପାଟି ଫିଟାଉ ନାହାନ୍ତି।
ଦିନେ ପତ୍ନୀଙ୍କ ଜଣେ ବାନ୍ଧବୀ ତାଙ୍କ ଘରକୁ ବୁଲି ଆସିଲେ। ସେ ତାଙ୍କ ଘରେ ରହିଥିବା ବେଳେ ଅନେକ ଅସ୍ବସ୍ତିକର ପରିସ୍ଥିତିର ସାମନା କଲେ। ଦିନେ ସେ ନିଜ ବାନ୍ଧବୀ ଅର୍ଥାତ୍ ବିଦ୍ବାନଙ୍କ ପତ୍ନୀଙ୍କୁ କହିଲେ- ତୁମେ ଏଭଳି ଜଣେ ବ୍ୟକ୍ତିଙ୍କୁ ଏତେ ରାଗି ପାରୁଛ କେମିତି? ସେ ତ ଉଁ କି ଚୁଁ କରୁ ନାହାନ୍ତି। ତାଙ୍କ ଭଳି ଜଣେ ଦୁର୍ବଳ ବ୍ୟକ୍ତିଙ୍କୁ ରାଗିବାକୁ ତୁମର ମନ ହେଉଛି କିପରି?
ପତ୍ନୀ କହିଲେ- ସେ ଦୁର୍ବଳ? କିଏ କହିଲା? ତାଙ୍କୁ ଦୁର୍ବଳ କରିବା ଲାଗି ମୁଁ ରାତି ଦିନ ଗର୍ଜୁଛି। କିନ୍ତୁ ସେ ପାହାଡ଼ ଭଳି ଶକ୍ତ ଓ ଅବିଚଳିତ। ଯଦି ସେ ପ୍ରତିକ୍ରିୟାରେ କେବେ ବି ଶବ୍ଦଟିଏ ଉଚ୍ଚାରଣ କରିଦିଅନ୍ତେ ତେବେ ମୁଁ ଭାବି ନିଅନ୍ତି ଯେ ସେ ଦୁର୍ବଳ ହୋଇଗଲେ। କିନ୍ତୁ ତାହା ହୋଇପାରୁନାହିଁ। ଏବେ ମୁଁ ଭାବିଲିଣି ଗର୍ଜିବା ବନ୍ଦ କରିଦେବି। ମୁଁ ମୋ ଦୁର୍ବଳତାକୁ ନେଇ କାହିଁକି ବଞ୍ଚିବି?
ବାନ୍ଧବୀ କହିଲେ- ଠିକ୍ କହିଛ। ଏବେ ମୁଁ ବୁଝି ପାରୁଛି।