ଯାହା ବ୍ୟକ୍ତ କରି ହେବନାହିଁ

କଥାଟିଏ - ଯାଯାବର

ବିଶିଷ୍ଟ ଦାର୍ଶନିକ ୱିଟଗେନ୍‌‌ଷ୍ଟିନ କହିଥିଲେ- ଯାହା କୁହାଯାଇ ପାରିବ ନାହିଁ ତାକୁ କୁହନାହିଁ। ଏହାର ମର୍ମ କ’ଣ?

ଏଭଳି ଏକ ପ୍ରଶ୍ନ ଜଣେ ପଚାରିଲେ ଓଶୋ ରଜନୀଶଙ୍କୁ।

ଓଶୋ କହିଲେ- କଥାଟା ଏମିତି। ଗୌତମ ବୁଦ୍ଧ ହିନ୍ଦୁମାନଙ୍କ ପିତୁଳା ପୂଜା ପ୍ରଥାକୁ ଗ୍ରହଣ କଲେ ନାହିଁ। ଏହାର କାରଣ ଏହା ଯେ ସେ କହିଲେ ଈଶ୍ବର ବୋଇଲେ ଏକ ପିତୁଳା ନୁହନ୍ତି। ଈଶ୍ବର କ’ଣ ତାହାର କଳନା କରାଯିବା ଅସମ୍ଭବ। ତେବେ ତାହାକୁ ସେ ପ୍ରକାଶ କରିବେ କେମିତି? ଈଶ୍ବରଙ୍କୁ କେମିତି ବା ବର୍ଣ୍ଣନା କରାଯିବ? କିନ୍ତୁ ବୁଦ୍ଧଙ୍କୁ କିଛି କହିବାର ଥିଲା। ଈଶ୍ବରଙ୍କ ସମ୍ବନ୍ଧରେ ତାଙ୍କର ଅବଧାରଣାକୁ ଅନ୍ୟମାନଙ୍କୁ ବୁଝାଇବାର ଥିଲା। ତେଣୁ ସେ କହିଲେ- ଈଶ୍ବର ନିରାକାର। ଈଶ୍ବର ନିର୍ଗୁଣ। କିନ୍ତୁ ସେହିଠାରେ ସେ ଈଶ୍ବରଙ୍କୁ ସୀମିତ କରିଦେଲେ।

ପ୍ରଶ୍ନ କର୍ତ୍ତା ପଚାରିଲେ- କେମିତି?

ଓଶୋ କହିଲେ- ତାହା ଏମିତି ଯେ ନିରାକାର ବୋଲି କହିବା ମାତ୍ରକେ ତୁମେ ପ୍ରଥମେ ଆକାରର ଏକ ଧାରଣା ସୃଷ୍ଟି କରିବାକୁ ହେବ। ସେମିତି ନିର୍ଗୁଣ ବୋଲି କହିଲେ ମଧ୍ୟ ତାହା ଏକ ଗୁଣବାଚକ ଅଭିବ୍ୟକ୍ତି ଭଳି ବୋଧ ହୁଏ।

ପ୍ରଶ୍ନକର୍ତ୍ତା ପଚାରିଲେ- ତେବେ ବୁଦ୍ଧ କ’ଣ କହିବା ଉଚିତ ଥିଲା?

ଓଶୋ କହିଲେ- ଯଦି ନିହାତି କହିବାର ଥିଲା ତେବେ ହୁଏ’ତ ବୁଦ୍ଧ କହିଥାଆନ୍ତେ ଈଶ୍ବରଙ୍କୁ କେମିତି ବର୍ଣ୍ଣନା କରିବି? ତାହା ମୋ ସାମର୍ଥ୍ୟ ବାହାରେ। କିନ୍ତୁ ସବୁଠାରୁ ଅଧିକ ଭଲ ହୋଇଥାଆନ୍ତା ଯଦି ସେ ୱିଟଗେନ୍‌‌ଷ୍ଟିନ କହିବା ଭଳି ନିରବ ରହିଥାଆନ୍ତେ।

ସମ୍ବନ୍ଧିତ ଖବର