ଭଲ ଓ ଖରାପ

କଥାଟିଏ - ଯାଯାବର

ଦିନେ ସକାଳେ ମୁଲ୍ଲା ନସିରୁଦ୍ଦିନଙ୍କୁ କିଛି ପିଲା ଚାନ୍ଦା ମାଗିଲେ। ମୁଲ୍ଲା ନରମ ହସଟିଏ ହସି ମୁଣାରୁ ଟଙ୍କା ବାହାର କରି ଦେଇ ଦେଲେ। ଏହା ଦେଖି ସେମାନଙ୍କ ଭିତରୁ ଜଣେ କହିଲା- ମୁଲ୍ଲା, ତୁମେ ତ କେତେ ଭଲ! କିନ୍ତୁ ତୁମ ନାଁରେ ସେମାନେ ମିଛ କହୁଛନ୍ତି କାହିଁକି? କାହିଁକି କହୁଛନ୍ତି ଯେ ମୁଲ୍ଲାଟା ବଦ୍‌ରାଗୀ, କୃପଣ। ତା’ ଠାରୁ ଯିଏ ପଇସାଟିଏ ବି ବାହାର କରି ଆଣିପାରିବ ସେ ହେଉଛି ପାରଙ୍ଗମ। କିନ୍ତୁ ତୁମେ ତ ବିନା ବାକ୍ୟ ବ୍ୟୟରେ ଦେଇ ଦେଲ!

ମୁଲ୍ଲା କହିଲେ ଏହା ପଛରେ ଗୋଟିଏ ରହସ୍ୟ ଅଛି। ମୁଁ କେତେବେଳେ ଭଲ ବା ଖରାପ ହେବି, ତାହା ମୋତେ ପଇସା ମାଗୁଥିବା ଲୋକର ଭାଗ୍ୟ ଉପ‌ରେ ନିର୍ଭର କରେ।

ପିଲାଏ କହିଲେ- ତୁମ କଥାର ଅର୍ଥ ବୁଝିପାରିଲୁ ନାହିଁ!

ମୁଲ୍ଲା କହିଲେ- ମୋ ପାଖରେ ଗୋଟିଏ ଖଚର ଅଛି। ସେ ଭାରି ଭଲ। ହେଲେ, ତାର ଭାରି ଖରାପ ସ୍ବଭାବଟିଏ ବି ଅଛି। ତାହା ହେଲା ଯେ ସେ ଟିକିଏ ସୁଯୋଗ ପାଇଲେ କୁଆଡ଼େ ପଳାଏ। ତେଣୁ ତାକୁ ଖୋଜିବା ଲାଗି ମୋତେ ନାକେଦମ ହେବାକୁ ପଡ଼େ। ଯେଉଁ ଦିନ ଖଚର ହଜିଯାଇଥାଏ ଏବଂ ମୁଁ ତାକୁ ଖୋଜୁଥାଏ, ସେ ଦିନ ଯଦି ମୋତେ କିଏ କିଛି ମାଗିଲା କି କହିଲା ତେବେ ତାର ନିସ୍ତାର ନାହିଁ ବୋଲି ଜାଣ। ଆଜି ସକାଳୁ ମୋର ଖଚର ମିଳିଗଲା। ଏତିକି ବେଳେ ତୁମେ ଆସି ପଇସା ମାଗିଲ। ତେଣୁ ତୁମର ଭାଗ୍ୟ ଭଲ ଥିଲା ବୋଲି ଭାବ।

ଗପଟି କହି ୟୁଜିକେ କହିଲେ- କିଏ ଭଲ ବା କିଏ ଖରାପ ବୋଲି ହଠାତ୍ ଧାରଣା କରିନେବା ପୂର୍ବରୁ ଦେଖ ସେ କି ପରିସ୍ଥିତି ଦେଇ ଯାଉଛି। ସାଧାରଣ ଲୋକେ ଭଲ ପରିସ୍ଥିତିରେ ଭଲ ଏବଂ ଖରାପ ପରିସ୍ଥିତିରେ ଖରାପ ହିଁ ହୁଅନ୍ତି।

ସମ୍ବନ୍ଧିତ ଖବର