ଈଶ୍ୱରଙ୍କ ଇଚ୍ଛା

କଥାଟିଏ - ଯାଯାବର

ଗୋଟିଏ ଗାଁରେ ଦୁଇ ଜଣ ଚାଷୀ ଥିଲେ। ଫସଲ ଅମଳ ସରିଯାଇଥା‌ଏ। ଜଣେ ଚାଷୀ ଖାଲି ଜମିରେ କିଛି ଶସ୍ୟ ମଞ୍ଜି ବୁଣି ଦେଇ ଭଗବାନଙ୍କୁ କହିଲେ- ହେ ପ୍ରଭୁ ଅସରାଏ ବର୍ଷା କରି ଦିଅନ୍ତ ନାହିଁ? ନ ହେଲେ ପାଣି ତେଣ୍ଡିବାକୁ ପଡ଼ିବ।

କିଛି ଘଣ୍ଟା ଭିତରେ ଆକାଶରେ କାହୁଁ ଆସି କଳାହାଣ୍ଡିଆ ମେଘ ଘୋଟିଗଲା ଏବଂ ଭଲ କରି ବର୍ଷା ହୋଇଗଲା। ଚାଷୀ ଜଣକ ଭଗବାନଙ୍କୁ କୃତଜ୍ଞତା ଜଣାଇ କହିଲେ- ଯାହା ହେଉ ମୋ ଡାକ ଶୁଣିଲ।

ସଂଧ୍ୟା ବେଳେ ସେହି ଚାଷୀ ନିଜ ପରମ ମିତ୍ରଙ୍କ ଘରକୁ ବୁଲିବାକୁ ଗଲେ। ମନ ଦୁଃଖରେ ଥିବା ବନ୍ଧୁ କହିଲେ- ଭାଇ, କ’ଣ କହିବି କହ? ଭଗବାନ କେଡ଼େ ନିର୍ଦୟ! ପାଚିଲା ଶସ୍ୟ କଟା ହୋଇ ଜମିରେ ଗଦା ହୋଇଛି, ବର୍ଷା ହୋଇଗଲା। ମେଘ ଦେଖି ଭଗବାନଙ୍କୁ ବିକଳରେ କେତେ ଗୁହାରି କଲି, ହେଲେ ସେ କ’ଣ ଶୁଣିଲେ?

କଥାଟି ସାରି ୟୁଜିକେ କହିଲେ- ବର୍ଷା ଚାହୁଁଥିବା ଚାଷୀ ଭଗବାନଙ୍କୁ ଯେଉଁ ଭଳି ଲୋଡ଼ିଥିଲେ, ତା’ ଠାରୁ ଆହୁରି କେତେ ଗୁଣ ଅଧିକ କରୁଣତାର ସହ ସେଇ ଚାଷୀ ଭଗବାନଙ୍କୁ ଡାକି ନ ଥିବେ, ଯାହାଙ୍କ ଶସ୍ୟ ବିଲରେ ଗଦା ହୋଇଥିଲା। କିନ୍ତୁ ଈଶ୍ବର ଏତେ ବିକଳ ଡାକ ଶୁଣିଲେ ନାହିଁ କାହିଁକି?

କଥା ହେଲା, ଈଶ୍ବର ପ୍ରକୃତରେ କାହା ଡାକ ଶୁଣି ନ ଥିଲେ। ସେ କେବଳ ବର୍ଷା କରାଇଥିଲେ। ସେ ସବୁଠି ସମାନ ଭାବେ ବର୍ଷା କରିଥିଲେ। ତାହା ଦ୍ବାରା ଯାହାର ଲାଭ ହେଲା ସେ ତାଙ୍କ ଗୁଣ ଗାଇଲା, ଯାହାର କ୍ଷତି ହେଲା, ସେ ତାଙ୍କୁ ନିନ୍ଦିଲା।

ସମ୍ବନ୍ଧିତ ଖବର