ଗୁରୁଙ୍କ ଉପଦେଶ

କଥାଟିଏ - ଯାଯାବର

ଜଣେ ପ୍ରତିଭାବାଦ ଛାତ୍ର ଶିକ୍ଷା ସାରିବା ପରେ ଯେତେବେଳେ ବାହାରକୁ କର୍ମ ଓ ଭାଗ୍ୟ ଅନ୍ବେଷଣରେ ବାହାରିଲା, ତାର ଗୁରୁ ତାକୁ ଆଶୀର୍ବାଦ ଦେବା ବେଳେ ଛୋଟ କାହାଣୀଟିଏ କହିଲେ।

ଜଣେ ପର୍ବତାରୋହୀ ଥିଲେ। ଦେଶର ପ୍ରାୟ ସବୁ ପର୍ବତର ଶିଖରକୁ ସେ ଯାଇ ପାରିଥିଲେ ସିନା ସବୁଠାରୁ ଉଚ୍ଚ ପର୍ବତର ଶୃଙ୍ଗକୁ ଛୁଇଁବାର ଇଚ୍ଛା ତାଙ୍କର ଅପୂର୍ଣ୍ଣ ଥିଲା। କ୍ରମେ ସେ ଇଚ୍ଛା ମନ ଭିତରେ ପ୍ରବଳତର ହୋଇ ଏକମାତ୍ର ଅଭୀଷ୍ଟରେ ପରିଣତ ହେଲା। ସୁତରା˚ ଦିନେ ପର୍ବତାରୋହୀ ସେଇ ଶୃଙ୍ଗକୁ ଆରୋହଣ କରିବାକୁ ବାହାରିଲେ।

ପର୍ବତାରୋହଣ ବାବଦରେ ସମସ୍ତ କୌଶଳ ତାଙ୍କ ପାଖରେ ଥିଲା। କିନ୍ତୁ ସେଇ ପର୍ବତଟି ଆରୋହଣ କଲା ବେଳେ ସେ ଅନୁଭବ କଲେ ଯେ ତାହା ତାଙ୍କ ଲାଗି ଏକ ଆହ୍ବାନ ଭାବେ ଛିଡ଼ା ହୋଇଛି। ଏଭଳି ବିପଦପୂର୍ଣ୍ଣ ପର୍ବତାରୋହଣ ସେ କେବେ ବି କରି ନ ଥିଲେ। କିନ୍ତୁ, ଶେଷରେ ସେ ଜିତିଲେ ଓ ପାହାଡ଼ର ଶିଖରରେ ପହଞ୍ଚିଲେ। ସେଠାରେ ପହଞ୍ଚିବା ପରେ ସେ ଆନନ୍ଦରେ ଆତ୍ମହରା ହୋଇ ଉଠିଲେ। ଗର୍ବରେ ତାଙ୍କ ଛାତି ଫୁଲି ଉଠିଲା। ତଳକୁ ଅବତରଣ କଲା ପରେ ତାଙ୍କୁ କିଭଳି ଜଣେ ତାରକାର ସମ୍ମାନ ମିଳିବ ସେଇ ଭାବନାରେ ସେ ଆହ୍ଲାଦିତ ହୋଇ ଉଠିଲେ।

କିଛି ସମୟ ଶୃଙ୍ଗରେ ରହିବା ପରେ ସେ ତଳକୁ ଅବତରଣ କଲେ। ସେ ଜାଣିଥିଲେ ଆରୋହଣ କରିବା ଭଳି ଅବତରଣ କରିବା ବି ଏକ ବିପଦପୂର୍ଣ୍ଣ କାର୍ଯ୍ୟ। କିନ୍ତୁ ଜିଣିବାର ଉତ୍ତେଜନା ତାଙ୍କୁ ଅସାବଧାନ କରିଦେଇଥିଲା। ତେଣୁ ଅବତରଣ ବେଳେ ଅସାବଧାନତା ହେତୁ ଦୁର୍ଘଟଣାଗ୍ରସ୍ତ ହୋଇ ସେ ପ୍ରାଣ ହରାଇଲେ।

ଗପଟି ଶୁଣିବା ପରେ ଛାତ୍ର ଗୁରୁଙ୍କୁ ପ୍ରଣାମ କରି କହିଲା- ସାର‌୍‌, ମୁଁ ଆପଣଙ୍କ ଗଳ୍ପର ଅସଲ ମର୍ମ ବୁଝିପାରିଲି। ସଫଳତାର ଶିଖରରେ ଯଦି ମୁଁ ଉନ୍ମତ୍ତ ହୋଇ ନିଜକୁ ଓ ପରିପାର୍ଶ୍ବକୁ ଭୁଲିଯାଏ, ତେବେ ତାହା ମୋ ଲାଗି ବିଷମୟ ହେବ।

ସମ୍ବନ୍ଧିତ ଖବର