ଉଚିତ ପରାମର୍ଶ

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନ କିଛି ନ କରି ଖାଲି ବସି ରହି ଦିନ କାଟୁଥିଲେ। ଯଦିଓ ତାଙ୍କର ଗୋଟିଏ ବେପାର ଥିଲା, ସେ ତାର ଧାର ଧାରୁ ନ ଥିଲେ। ତେଣୁ ତାଙ୍କ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ିବାକୁ ଲାଗିଲା। ମୁଲ୍ଲାଙ୍କ ସ୍ତ୍ରୀ ଯେତେ ଆକଟ କଲେ ବି ମୁଲ୍ଲା ଶୁଣିଲେ ନାହିଁ। ଶେଷରେ ମୁଲ୍ଲାଙ୍କ ସ୍ତ୍ରୀ ମୁଲ୍ଲାଙ୍କ ଜଣେ ବୁଦ୍ଧିମାନ ବନ୍ଧୁଙ୍କ ପରାମର୍ଶ ମାଗିଲେ।

ମୁଲ୍ଲାଙ୍କ ବନ୍ଧୁ କହିଲେ- ତୁମେ ତ ନିଜ ଗୋଡ଼ରେ ଟାଙ୍ଗିଆ ମାରିଛ, ଏବେ ମନ ଦୁଃଖ କାହିଁକି କରୁଛ? ମୁଲ୍ଲାଙ୍କ ସ୍ତ୍ରୀ କିଛି ବୁଝି ନ ପାରିବାରୁ ମୁଲ୍ଲାଙ୍କ ବନ୍ଧୁ କହିଲେ- ପ୍ରକୃତ କଥା ହେଲା ତୁମେ ମୁଲ୍ଲାର ମାଆଙ୍କ ସହିତ ଝଗଡ଼ା କଲ ବୋଲି ସେ ଘରୁ ପଳାଇଗଲେ, କିନ୍ତୁ କଥା ହେଲା, ସେ ଗଲା ବେଳେ ତୁମର ଭଲ ଭାଗ୍ୟକୁ ନେଇ ଚାଲିଗଲେ। ତାଙ୍କୁ ଫେରାଇ ଆଣ, ଦେଖିବ ସବୁ କିଛି ଠିକ ହୋଇଯିବ।

ମୁଲ୍ଲାଙ୍କ ସ୍ତ୍ରୀଙ୍କ ମୁହଁ ଶୁଖିଗଲା। ସେ କହିଲେ ସେଇ ବଡ଼ ପାଟିଆ ବୁଢ଼ୀକୁ ପୁଣି ଘରକୁ ଆଣିବାକୁ ହେବ? ଆଉ କିଛି ବାଟ ନାହିଁ?

ମୁଲ୍ଲାଙ୍କ ବନ୍ଧୁ କହିଲେ- ଅବସ୍ଥା ସୁଧାରିବାକୁ ଚାହଁ ତ ତାହା ହିଁ ଗୋଟିଏ ଉପାୟ।

ବାଧୢ ହୋଇ ମୁଲ୍ଲାଙ୍କ ସ୍ତ୍ରୀ ଶାଶୂଙ୍କୁ ଆଣି ଘରେ ରଖି ସେବା ଯତ୍ନ କଲେ। ଏଣେ ମୁଲ୍ଲାଙ୍କ ମାଆ ଘରକୁ ଆସିବା କ୍ଷଣି ଅଳସୁଆ ମୁଲ୍ଲାଙ୍କ ପିଳେହି ପାଣି ହୋଇଗଲା। କାରଣ ସେ ମାଆଙ୍କୁ ପ୍ରବଳ ଡରୁଥିଲେ। ଏବେ ପ୍ରତି ଦିନ ସକାଳୁ ମୁଲ୍ଲାଙ୍କ ମାଆଙ୍କ ଗର୍ଜନ ଆରମ୍ଭ ହୋଇଗଲା। ମୁଲ୍ଲା ବାଧୢ ହୋଇ ସକାଳୁ ଉଠି ବ୍ୟବସାୟ ସ୍ଥାନକୁ ଗଲେ ଏବ˚ ବେପାର ବୁଝାବୁଝି କଲେ। ବେପାର ଭଲ ଚାଲିଲା ଓ ଘରକୁ ଟଙ୍କା ଆସିଲା।

ମୁଲ୍ଲାଙ୍କ ପତ୍ନୀଙ୍କୁ ବି ମୁଲ୍ଲାଙ୍କ ମା’ ଛାଡ଼ିଲେ ନାହିଁ। କିନ୍ତୁ ମୁଲ୍ଲାଙ୍କ ପତ୍ନୀ ଅସଲ କଥାଟି ବୁଝି ପାରିଥିବାରୁ ଚୁପ୍ ରହିଲେ।

ସମ୍ବନ୍ଧିତ ଖବର