ଗଭର୍ନର ଯାଆନ୍ତୁ

କଥାଟିଏ - ଯାଯାବର

ଜଣେ ଜେନ୍‌ ଗୁରୁଙ୍କ ଅତି ପ୍ରିୟ ଶିଷ୍ୟ ଟୋକିଓର ଗଭର୍ନର ହେବା ପରେ ଗୁରୁଙ୍କୁ ଦେଖା କରିବାକୁ ଗଲେ। ଗୁରୁ ଘର ଭିତରେ ଥିବାରୁ ଦ୍ବାର ଦେଶରେ ଉପସ୍ଥିତ ଥିବା ‌େକୗଣସି ଜଣେ ଶିଷ୍ୟ ହାତରେ ତାଙ୍କ ଭିଜିଟିଂ କାର୍ଡ ପଠାଇ ଦେଲେ। ଗୁରୁ ତାକୁ ଦେଖିବା ମାତ୍ରକେ କହିଲେ- ସେ କିଏ? ତାକୁ ମୁଁ ଚିହ୍ନି ନାହିଁ। ତାକୁ ଚାଲି ଯିବାକୁ କହ।

କାର୍ଡ ନେଇ ଯାଇଥିବା ଶିଷ୍ୟ କହିଲା- ଆଜ୍ଞା, ସେ କିନ୍ତୁ କହୁଥିଲେ ଯେ ସେ ଆପଣଙ୍କର ଜଣେ ପ୍ରିୟ ଶିଷ୍ୟ ଥିଲେ ବୋଲି?

ଗୁରୁ କହିଲେ- ନା, ନା ସେମିତି କଦାପି ହୋଇ ନ ଥିବ। ତାଙ୍କୁ କହ ସେ ଯାଆନ୍ତୁ।

ସୁତରାଂ, ଶିଷ୍ୟଟି ବାହାରି ଆସି ଗଭର୍ନରଙ୍କୁ କାର୍ଡଟି ଧରାଇ ଦେଇ କହିଲା- ଆପଣ ଯାଆନ୍ତୁ। ଗୁରୁ କହିଲେ ଯେ ସେ ଆପଣଙ୍କୁ ଜାଣନ୍ତି ନାହିଁ। ଆଜି ସେ ଅପରିଚିତମାନଙ୍କୁ ଭେଟୁ ନାହାନ୍ତି।

ଗଭର୍ନର ଥିଲେ ପ୍ରକୃତରେ ବିଚକ୍ଷଣ ମଣିଷ। ସେ ସାଙ୍ଗେ ସାଙ୍ଗେ ପକେଟରୁ କଲମ ବାହାର କରି କାର୍ଡ ଉପରେ କିଛି ଅଂଶ କାଟି ଦେଇ ପୁଣି ତାକୁ ଭିତରକୁ ପଠାଇଲେ। ଏବେ ଗୁରୁ ନିଜେ ହସି ହସି ଆପଣା ବାହୁ ପ୍ରସାର କରି ତାଙ୍କୁ ପାଛୋଟି ନେବାକୁ ବାହାରି ଆସିଲେ।

ଶିଷ୍ୟଟି ତଟସ୍ଥ ହୋଇ ଦେଖିଲା ଯେ ଗଭର୍ନର ତାଙ୍କ କାର୍ଡରୁ ‘ଟୋକିଓର ଗଭର୍ନର’ ଧାଡ଼ିକୁ କାଟି ଦେଇଛନ୍ତି।

ଏବେ ଗୁରୁ ତାଙ୍କୁ ଭିତରକୁ ନେଇ ଯାଉଥିବା ବେଳେ କହୁଥିଲେ – ମୁଁ ପ୍ରଥମେ ଭାବିଲି ଯେ ଗଭର୍ନରଙ୍କ ମୋ ପାଖରେ କି କାମ? ତେଣୁ ଗଭର୍ନର ଯାଆନ୍ତୁ। ସତ କଥା, ଗଭର୍ନର ଗଲେ ବୋଲି ସିନା ତୁମେ ଆସିଲ!

ସମ୍ବନ୍ଧିତ ଖବର