ଛୋଟ ତାୱା

କଥାଟିଏ - ଯାଯାବର

ଥରେ ଜଣେ ଅନୁଗାମୀ ୟୁଜିକେଙ୍କୁ ପଚାରିଲେ- ଆମେମାନେ କାହିଁକି କ୍ଷୁଦ୍ରମନା ହେଉ, କାହିଁକି ସଂକୀର୍ଣ୍ଣତା ଦ୍ବାରା ଭରି ହୋଇଯାଉ?

ୟୁଜିକେ କହିଲେ- ପଚାରିଲଣି ଯେବେ, ଶୁଣ ଏହି କଥାଟିଏ। ଥରେ ମୁଲ୍ଲା ନସିରୁଦ୍ଦିନ ମାଛ ମାରିବାକୁ ଗଲେ। ସେ ଦିନ ତାଙ୍କ ଭାଗ୍ୟ ଭଲ ଥିଲା। ବନ୍‌ଶୀ ଖଡ଼ାରେ ବହୁତ ମାଛ ପଡ଼ିଲେ। କିନ୍ତୁ ମୁଲ୍ଲାଙ୍କ କ୍ଷେତ୍ରରେ ଯାହା ସର୍ବଦା ଦେଖାଯାଏ, ତାହା ହେଲା। ସେ ଛୋଟ ଛୋଟ ମାଛ ରଖି ବଡ଼ ବଡ଼ ମାଛ ନଈରେ ଛାଡ଼ିଦେଲେ।

ଏ କଥା ଦେଖିଲା ମୁଲ୍ଲାଙ୍କ ଜଣେ ପରିଚିତ। ସେ କହିଲା- ମୁଲ୍ଲା, ଏ କ’ଣ କରୁଛ? ଛୋଟ ଛୋଟ ମାଛ ରଖୁଛ ଅଥଚ ବଡ଼ ବଡ଼ ମାଛ ଛାଡ଼ି ଦେଉଛ? ବଡ଼ ମାଛ ଖାଇବାରେ ସିନା ମଜା ଥାଏ।

ମୁଲ୍ଲା କହିଲେ- ତୁ ଆଉ ଅଧିକ ଚାଲାକି ଦେଖାନା। ମୁଁ ବି ଜାଣିଛି ଯେ ବଡ଼ ମାଛରେ ଅଲଗା ମଜା। କିନ୍ତୁ କରିବି କ’ଣ? ଆମ ଘରର ତାୱାଟା ଛୋଟ। କେବଳ ଛୋଟ ମାଛ ଭାଜି ହେବ।

କଥାଟା କହିସାରି ୟୁଜିକେ କହିଲେ- ମୁଲ୍ଲା ଯଦି ବଡ଼ ତାୱାଟେ କିଣି ପକାନ୍ତେ ତେବେ ବଡ଼ ମାଛ ଖାଆନ୍ତେ। କିନ୍ତୁ ସେ ତାୱାକୁ ବଦଳାଇବେ ନାହିଁ। ସେହି ଭଳି ଆମେମାନେ ଆମ ବିଚାରକୁ ଛୋଟ କରି ରଖିଥିବାରୁ ସବୁ ଛୋଟ କଥା ସେଥିରେ ଧରୁଛି। ବିଚାରକୁ ବଡ଼ କଲେ ଆମେମାନେ ବଡ଼ ବା ଉଚ୍ଚ ମନା ହୋଇପାରିବା। କିନ୍ତୁ ଆମେମାନେ ଛୋଟ ମାଛ ଖାଇବା ପଛକେ ମୁଲ୍ଲାଙ୍କ ଭଳି ତାୱା ବଦଳାଇବାକୁ ନାରାଜ।

ସମ୍ବନ୍ଧିତ ଖବର