ବୈରାଗ୍ୟର ପରୀକ୍ଷା

କଥାଟିଏ - ଯାଯାବର

ସାଧୁଙ୍କୁ ରାଜା କହିଲେ- ମୁଁ ଭାବେ ଯେ ସ˚ସାରର ସବୁ ବ୍ୟକ୍ତିିଙ୍କ କିଛି ନା କିଛି ଆସକ୍ତି ଅଛି। ତେଣୁ ଯେଉଁମାନେ ନିଜକୁ ବୈରାଗୀ ବୋଲି କହନ୍ତି ସେମାନେ ନିଶ୍ଚିତ ଭାବେ ପ୍ରଲୋଭନ ସୃଷ୍ଟି କରୁଥିବା ବା ମାୟାରେ ପକାଉଥିବା ଜିନିଷ ଲାଭ କରିବାର ସୁଯୋଗରୁ ବଞ୍ଚିତ ହୋଇଥାଆନ୍ତି। ମୁଁ ଭାବେ ସେଇଭଳି ଭାବେ ଆପଣ ଜଣେ ବୈରାଗୀ।

ସାଧୁ କହିଲେ- ସେମିତି ନୁହେଁ। ବୈରାଗ୍ୟ ହେଉଛି ଏକ ଉପଲବ୍‌ଧି। ତାହା ଥରେ ହାସଲ କରାଯାଇପାରିଲେ ଆଉ ଆସକ୍ତି ରହେନା। କୌଣସି ବସ୍ତୁ ଆଉ ପ୍ରିୟ ହୋଇ ରହେନା। ମଣିଷର ସବୁଠାରୁ ବଡ଼ ଭୟ ହେଲା, ନିଜର ପ୍ରିୟ ବସ୍ତୁ ବା ବ୍ୟକ୍ତି ଆଦିକୁ ହରାଇବାର ଭୟ। ବୈରାଗୀର ସେହି ଭୟ ରହେନା।

ରାଜା କହିଲେ- ମୁଁ ପ୍ରମାଣ କରିଦେବି ଯେ ବୈରାଗ୍ୟ ବୋଲି କିଛି ନାହିଁ।

ଏହା କହି ରାଜା ଆଦେଶ ଦେବାକୁ ଲାଗିଲେ ଏବ˚ ପରିଚାରକମାନେ ବୈରାଗୀ ସାଧୁଙ୍କ ଠାରୁ ତାଙ୍କ ପୋଷାକ, ଯାହା କିଛି ଅଳ୍ପ ସମ୍ବଳ ସବୁ ନେଇ ଯାଇ ସେଥିରେ ଅଗ୍ନି ସ˚ଯୋଗ କରିଦେଲେ। କିନ୍ତୁ ସାଧୁଙ୍କ ଚେହେରାରେ କୌଣସି ଭାବାନ୍ତର ଦେଖାଗଲା ନାହିଁ।

ହାରିବାକୁ ପ୍ରସ୍ତୁତ ନ ଥିବା ରାଜା ସେନାପତିଙ୍କୁ କହିଲେ- ଜୀବନ ହେଉଛି ମଣିଷର ସବୁଠାରୁ ଅଧିକ ପ୍ରିୟ। ଏହାର ଶିରକୁ ସ୍କନ୍ଧଚ୍ୟୁତ କର।

ସଭା ମଝିରେ ଅବିଚଳିତ ଭାବେ ଛିଡ଼ା ହେଇଥିବା ଉଲଗ୍ନ ସାଧୁ କହିଲେ- ରାଜା, ତୁମେ ଯେଉଁ ବସ୍ତୁ ସବୁ ନଷ୍ଟ କରିଦେଲ, ତା’ ତୁଳନାରେ ଏ ଜୀବନ ତ ଆହୁରି ଅନିର୍ଦ୍ଦିଷ୍ଟ। ଜିନିଷ ରହିଯାଏ, କିନ୍ତୁ ଜୀବନ ଚାଲିଯାଏ। ତେଣୁ ଜୀବନ ପାଇଁ କି ଆସକ୍ତି?

ରାଜା ଏଥର ସେନାପତିଙ୍କ ଉଦ୍ୟତ ଖଡ୍‌ଗକୁ ରୋକି ଦେଲେ ଓ ସନ୍ନ୍ୟାସୀଙ୍କୁ କ୍ଷମା ମାଗିଲେ।

ସମ୍ବନ୍ଧିତ ଖବର