ଅମୁହାଁ ବନ୍ଦୀଶାଳା

କଥାଟିଏ - ଯାଯାବର

ଜଣେ ଉଦ୍ଧତ ରାଜା କୌଣସି ଏକ କାରଣରୁ ତାଙ୍କ ବୃଦ୍ଧ ଓ ଜ୍ଞାନୀ ପାରିଷଦଙ୍କ ଉପରେ ରାଗିଯାଇ ତାଙ୍କୁ ବନ୍ଦୀଶାଳାରେ ନିକ୍ଷେପ କଲେ। ସେଇ ବନ୍ଦୀଶାଳାଟି ଏଭଳି ଥିଲା ଯେ ଯାହା ଭିତରକୁ ପଶିଲେ ବାହାରକୁ ବାହାରିବାର ରାସ୍ତା ପାଇବା ଥିଲା ଦୁରୂହ ବ୍ୟାପାର। ବୃଦ୍ଧ ଅମାତ୍ୟଙ୍କୁ ତା ଭିତରେ ପୂରାଇ ଦେଇ ରାଜା ତାଙ୍କ କଥା ଭୁଲିଗଲେ।

କିଛି ବର୍ଷ ପରେ ବନ୍ଦୀଶାଳାର ରକ୍ଷକ ରାଜାଙ୍କୁ ଖବର ଦେଲା ଯେ ବୃଦ୍ଧ ଅମାତ୍ୟଙ୍କ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ପୂର୍ବରୁ ସେ ରାଜାଙ୍କ ସକାଶେ ଏକ ଚିଠି ଲେଖି ଦେଇ ଯାଇଛନ୍ତି। ରାଜା କୌତୁହଳବଶତଃ ଚିଠିଟିକୁ ପଢ଼ିଲେ। ସେଥିରେ ଥିଲା ଥର ଥର ହାତରେ ଲେଖା ଦୁଇଟି ଧାଡ଼ି- ରାଜା, ସାଧୁ ସାବଧାନ। ତୁମେ ବି ଗୋଟିଏ ଅମୁହାଁ ବନ୍ଦୀଶାଳାରେ ବନ୍ଦୀ।

ରାଜା ଏହାର ମର୍ମ ବୁଝିପାରିଲେ ନାହିଁ। ଅନେକଙ୍କୁ ତାହା ପଚାରିଲେ। ଶେଷରେ ଜଣେ ପଣ୍ତିତ ତାର ବ୍ୟାଖ୍ୟା କରି କହିଲେ- ମହାରାଜ, ସେଇ ପଣ୍ତିତ ପୁରୁଷ ମରିଯିବା ବେଳେ ଗୋଟିଏ ଚରମ ସତ୍ୟ ପ୍ରକାଶ କରିଯାଇଛନ୍ତି। କେବଳ ତୁମେ ନୁହେଁ, ଆମେ ସମସ୍ତେ ଗୋଟିଏ ‘ଅମୁହାଁ ବନ୍ଦୀ ଶାଳା’ ଭିତରେ ବନ୍ଦୀ। ତାହା ହେଉଛି ଜୀବନ। ଆମେ ଜନ୍ମ ତ ନେଇଗଲେ କିନ୍ତୁ ଆମେ କେଉଁ ବାଟେ ଯିବା, କେଉଁ ଦିଗରେ ଯିବା, କୁଆଡ଼େ ଯିବା, କେମିତି ଯିବା ତାର ରୂପରେଖ ବା ମାନଚିତ୍ର କାହା ପାଖରେ ନାହିଁ। ତେଣୁ ସାଧୁ ସାବଧାନ!

ଏଭଳି ଏକ ମର୍ମସ୍ପର୍ଶୀ ଉତ୍ତରରେ ରାଜାଙ୍କ ହଠାତ୍‌ ଚୈତନ୍ୟ ଉଦୟ ହେଲା। ତାଙ୍କ ଭିତରେ ଭୟର ଶିହରଣ ଖେଳିଗଲା।

ସମ୍ବନ୍ଧିତ ଖବର