ଭଗବାନ ଓ ସଇତାନ

କଥାଟିଏ - ଯାଯାବର

ଗୋଟିଏ ଚାଷୀ ପରିବାରରେ ଦୁଇ ଭାଇ ଥିଲେ। ସାନ ଭାଇଟି ଥିଲା ଅଳସୁଆ। ସେ ଭଗବାନଙ୍କୁ ପ୍ରାର୍ଥନା କରି କହୁଥିଲା- ପ୍ରଭୁ ଏମିତି କରିଦିଅନ୍ତ ନାଇଁ, ଯେମିତି ବିଲକୁ ଯିବାକୁ ପଡ଼ନ୍ତା ନାହିଁ। ଦିନେ ସକାଳେ ଦେଖେ ତ ଜମିରେ କେହି ଅତି ସୁନ୍ଦର ଭାବେ ହଳ ବୁଲାଇ ଦେଇଛି। ସେ ଦୌଡ଼ି ଯାଇ ବଡ଼ ଭାଇକୁ ଏ କଥା କହିଲା। ବଡ଼ ଭାଇ କହିଲା- ବାବୁରେ ଭଗବାନ ତ ଏମିତି ଶୁଣନ୍ତି ନାହିଁ। ତେଣୁ ସାବଧାନ ରହ। ଭଗବାନଙ୍କୁ ଏମିତି କିଛି ଅଯଥାରେ ମାଗନାହିଁ।

ସାନ ଭାଇ କିନ୍ତୁ ମାନିଲା ନାହିଁ। ପ୍ରତିଦିନ ରାତିରେ ସେ ଯାହା ପାଞ୍ଚୁଥିଲା, ତାହା ହୋଇଯାଉଥିବାରୁ ସେ ମନ ଖୁସିରେ ଘରେ ଶୋଇ ରହିଲା। ବଡ଼ ଭାଇ ବିରକ୍ତ ହେବାରୁ ସେ ଦିନେ ନିଜ ଭାଇ ଠାରୁ ଅଲଗା ହେବାକୁ କହିଲା।

ବଡ଼ ଭାଇ ତାକୁ କହିଲା- ବାବୁ, ଏଇ ଆମ୍ବ ଗଛଟି ଦେଖୁଛୁ। ପାଖରେ କେତେ ଆମ୍ବ ଫଳିଛି। ସେସବୁ ଦିନେ ପାଚିବ। କିନ୍ତୁ ଏବେ ଯେଉଁ ଆମ୍ବଟି ପାଚିଛି ତାହା ଦେଖ ସବା ଉପର ଡାଳରେ ଅଛି। ତାକୁ ତୋଳିବାକୁ ହେଲେ ଗଛ ଉପରକୁ ଚଢ଼ିବାକୁ ହେବ। ଭଗବାନ ସବୁ କିଛି ଏମିତି ହିଁ ଦିଅନ୍ତି। ପରିଶ୍ରମ କଲେ ଯାଇ ଫଳଟି ମିଳେ। ସାନ ଭାଇ କିନ୍ତୁ ଶୁଣିଲା ନାହିଁ।

ଦିନେ ବଡ଼ ଭାଇର କଥା ସତ ହେଲା। ସାନ ଭାଇ ଯାହା ଚାହିଁଲା ତାହା ପାଉଥିବାରୁ ଆଳସ୍ୟରେ ଶୋଇ ଶୋଇ ଦିନ କାଟିଲା। କ୍ରମେ ସେ ଚାଷୀର କୌଶଳ ହରାଇଲା। ଦିନେ ହଠାତ୍‌ ତା’ ପ୍ରାର୍ଥନା କାମ କଲା ନାହିଁ। ସେ ଚମକି ପଡ଼ିଲା। ଭଗବାନ ଆଉ ଶୁଣିଲେ ନାହିଁ। କିନ୍ତୁ ସେତିକି ବେଳକୁ ସେ ଆଉ ପରିଶ୍ରମ କରିବା ଅବସ୍ଥାରେ ନ ଥିଲା। ସେ ଜମିବାଡ଼ି ବିକି ଚଳିବାକୁ ଲାଗିଲା। ଶେଷରେ ସେ କପର୍ଦ୍ଦକଶୂନ୍ୟ ହୋଇଗଲା। ସେ ଜାଣିଲା ଯେ ତା’ ଲାଗି ଯିଏ ସବୁ କିଛି କରି ଦେଉଥିଲା ସିଏ ଭଗବାନ ନୁହେଁ, ସଇତାନ।

ସମ୍ବନ୍ଧିତ ଖବର