ସନ୍ଥ ଫିରୋଜ ଥିଲେ ଦୟା ଓ କରୁଣାର ଅବତାର। ତା’ ଛଡ଼ା ସେ ଥିଲେ ଅତ୍ୟନ୍ତ ସତ୍ୟବାଦୀ।
ଦିନେ ହଠାତ୍ ଜଣେ ଅପରିଚିତ ଲୋକ ଫିରୋଜଙ୍କ ଘର ଭିତରକୁ ପଶି ଆସି ଶରଣ ମାଗିଲା। ସେ କହିଲା- ମୁଁ ଜଣେ ଚାଷୀ। ମୁଁ ସକାଳୁ ମୋ କାମରେ ଗଲା ବେଳକୁ ବାଟରେ ମୋ ପଡ଼ୋଶୀକୁ ମୁମୂର୍ଷୁ ଅବସ୍ଥାରେ ଦେଖିଲି। କେହି ଜଣେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ରାସ୍ତାରେ ପକାଇ ଦେଇ ଯାଇଥିଲା। ମୋର ଓ ମୋ ପଡ଼ୋଶୀଙ୍କ ଭିତରେ ଜମିବାଡ଼ିକୁ ନେଇ ବିବାଦ ଥିଲା। କିନ୍ତୁ ତାଙ୍କୁ ଏଇ ଅବସ୍ଥାରେ ଦେଖି ମୁଁ ଅଟକିଗଲି। ତାଙ୍କୁ ସାଷ୍ଟମ କରିବାକୁ ଚେଷ୍ଟା କଲା ବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଗଲା। ଏତିକି ବେଳେ କେହି ଜଣେ ଚିତ୍କାର କଲା ଯେ ଧର ତାକୁ। ସେ ମାରିଛି। ଏହା ଶୁଣି ମୁଁ ଭୟରେ ସେଠାରୁ ଦୌଡ଼ିଲି। ଏବେ ମୋ ପଛରେ ରାଜାଙ୍କ ସୈନିକ ପଡ଼ିଛନ୍ତି। ଆପଣ ମୋତେ ଏଠାରେ ଆଶ୍ରୟ ଦିଅନ୍ତୁ। ସେମାନେ ଆପଣଙ୍କୁ ପଚାରିବେ। ଏବେ ଆପଣଙ୍କ ଦୟା ଆପଣ କ’ଣ କରିବେ?
ଫିରୋଜ ଜାଣିଥିଲେ ଯେ ଲୋକଟି ନିର୍ଦୋଷ। ଏଣେ ସେ ଶରଣାର୍ଥୀ। କିନ୍ତୁ ତାକୁ ନିରାପଦ ଆଶ୍ରୟ ଦେବାକୁ ହେଲେ ମିଛ କହିବାକୁ ହେବ। ସେ ଏମିତି ଭାବୁଥିବା ବେଳେ ସୈନିକମାନେ ପହଞ୍ଚିଯାଇ ଫିରୋଜଙ୍କୁ ପଚାରିଲେ- ଫିରୋଜ ହତ୍ୟାକାରୀକୁ ଦେଖିଛ କି?
ଫିରୋଜ ଅଗତ୍ୟା ମନା କରିଦେଲେ। ସୈନ୍ୟମାନେ ଚାଲିଗଲେ।
ସେମାନେ ଗଲା ପରେ ଚାଷୀଟି ଧନ୍ୟବାଦ ଦେବା ସହିତ ତା’ ଲାଗି ଫିରୋଜଙ୍କୁ ମିଥ୍ୟା କହିବାକୁ ପଡ଼ିଥିବାରୁ କ୍ଷମା ମାଗିଲା।
କିନ୍ତୁ ଫିରୋଜ କହିଲେ- ଈଶ୍ବରଙ୍କ ଅପାର ଦୟା। ସେ ମୋତେ ମିଥ୍ୟା କହିବାକୁ ଦେଇ ନାହାନ୍ତି। ସୈନିକମାନେ ମୋତେ ପଚାରିଥିଲେ ଯେ ହତ୍ୟାକାରୀକୁ ଦେଖିଛ କି? କିନ୍ତୁ ତୁମେ ହତ୍ୟାକାରୀ ବୋଲି ଆମେ କହିବା କେମିତି? ପ୍ରମାଣ ହୋଇ ସାରିଛି କି?