ବିଶାଳ ମନ

କଥାଟିଏ - ଯାଯାବର

ଦୁଇ ଘନିଷ୍ଠ ବନ୍ଧୁ ଥିଲେ। ପାଠ ପଢ଼ି ସାରିବା ପରେ ଜଣେ ସହର ଛାଡ଼ି ବାହାରକୁ ଭାଗ୍ୟ ତିଆରି କରିବାକୁ ଚାଲିଗଲେ। ଭାଗ୍ୟ ଓ ସମୟ ତାଙ୍କ ସପକ୍ଷରେ ଥିବାରୁ ସେ ଅତି ସଫଳ ଓ ବିଖ୍ୟାତ ହୋଇଗଲେ। ଅନେକଙ୍କ ଲାଗି ସେ ଈର୍ଷଣୀୟ ହୋଇଗଲେ। ତାଙ୍କ ମନରେ ଅହମିକା ଜାତ ହେଲା। ଏଇ ସମୟରେ ତାଙ୍କ ମନରେ ଇଚ୍ଛା ହେଲା ଥରେ ଯାଇ ତାଙ୍କ ବାଲ୍ୟ କାଳର ସହରରୁ ବୁଲି ଆସିବେ।

ପ୍ରକୃତରେ ଏହା ପଛରେ ଥିଲା ସବୁ ପରିଚିତଙ୍କ ଆଗରେ ଦେଖାଇ ହେବାର ଏକ ପ୍ରଚ୍ଛନ୍ନ ଇଚ୍ଛା। ସେଇ ଛୋଟ ସହରରେ ତାଙ୍କ ଆଗମନ ଲାଗି ବିଶେଷ ସ୍ବାଗତର ଆୟୋଜନ କରାଯାଇଥିଲା। ଭଦ୍ରଲୋକଙ୍କ ଛାତି କୁଣ୍ଢେମୋଟ।

କିଛି ସମୟ ପରେ ସେ ରହୁଥିବା ଡାକବଙ୍ଗଳାରୁ ନିଜ ଅନ୍ତରଙ୍ଗ ବନ୍ଧୁଙ୍କୁ ଖବର ପଠାଇ ଡକାଇଲେ। ବନ୍ଧୁ ଜଣକ ସେଇ ସହରରେ ଏକ ଅତ୍ୟନ୍ତ ସାଧାରଣ ଜୀବନ କାଟୁଥିଲେ। ଅନେକ ଦିନ ପରେ ବାଲ୍ୟ ବନ୍ଧୁଙ୍କ ସହିତ ଦେଖା ହେବ ବୋଲି ସେ ଗଦଗଦ ହୋଇ ଦୌଡ଼ିଲେ। ସେଇ ସାକ୍ଷାତରେ ସଫଳ ବ୍ୟକ୍ତି ବିଭିନ୍ନ ଉପାୟରେ ତାଙ୍କ ସଫଳତା ତଥା ତାଙ୍କ ବିଶେଷ ଉପଲବ୍‌ଧି ବାବଦରେ ସୂଚନା ଦେଉଥାଆନ୍ତି। ସେଥିରେ ବନ୍ଧୁ ଜଣକ ଆତ୍ମହରା ହୋଇଯାଉଥାଆନ୍ତି। ସ˚ଧୢାରେ ସଫଳ ବ୍ୟକ୍ତି ଫେରିଗଲେ।

ତେବେ, ବନ୍ଧୁଙ୍କ ସହିତ ସାକ୍ଷାତ ପରେ ସଫଳ ବ୍ୟକ୍ତି ଆନମନା ହୋଇଗଲେ। କାରଣ ଅନ୍ୟମାନଙ୍କ ଭଳି ବନ୍ଧୁଙ୍କ ଆଖି ଈର୍ଷାରେ ଜଳୁ ନ ଥିଲା। ବନ୍ଧୁ ତାଙ୍କ ସଫଳତାରେ ସତରେ ଖୁବ୍‌ ଖୁସି ହେଉଥିଲେ।

ସଫଳ ବ୍ୟକ୍ତି ଏବେ ବୁଝିପାରିଲେ ଯେ ସେ ତାଙ୍କ ବନ୍ଧୁଙ୍କ ତୁଳନାରେ କେତେ କ୍ଷୁଦ୍ର। ତାଙ୍କ ବିଚାର କେତେ ସ˚କୀର୍ଣ୍ଣ ଓ ବନ୍ଧୁଙ୍କ ବିଚାର କେତେ ପ୍ରଶସ୍ତ। ଏବେ ବନ୍ଧୁଙ୍କ ମନର ବିଶାଳତା ତାଙ୍କ ମନରେ ଈର୍ଷା ଜାଗ୍ରତ କଲା।

ସମ୍ବନ୍ଧିତ ଖବର