ସମସ୍ୟା ସମାଧାନର ମନ୍ତ୍ର

କଥାଟିଏ - ଯାଯାବର

ଗୋଟିଏ ଅପଖ୍ୟାତ ସ୍କୁଲକୁ ଜଣେ ଶିକ୍ଷକଙ୍କ ବଦଳି ହେଲା। ସ୍କୁଲଟି ଥିଲା ଏକ ଗାଁରେ। ପ୍ରଥମ କଥା, ଗାଁଟି ଥିଲା ସମସ୍ୟା ବହୁଳ। ଗାଁ ଲୋକମାନଙ୍କ ଭିତରୁ ଅନେକ ଥିଲେ ଦୁଷ୍ଟ ପ୍ରକୃତିର। ଦ୍ବିତୀୟ କଥା ଥିଲା, ସ୍କୁଲ ଛାତ୍ରମାନେ ଥିଲେ ଅମାନିଆ ଓ ବିଶୃଙ୍ଖଳିତ। ସେଭଳି ସ୍କୁଲର ଦାୟିତ୍ବ ନେବା ଲାଗି କୌଣସି ଶିକ୍ଷକ ରାଜି ହେଉ ନ ଥିଲେ।

ନୂଆ ଭାବେ ଶିକ୍ଷକ ଜଣକ ସେଠାରେ କାମରେ ଯୋଗ ଦେଲେ। ସେ ସେଇ ସ୍କୁଲର ଅପଖ୍ୟାତି ବାବଦରେ ଆଗରୁ ଶୁଣିଥିଲେ। କିନ୍ତୁ ସମସ୍ତେ ଚକିତ ହେଲେ ଯେତେବେଳେ ଦେଖିଲେ ଯେ ଶିକ୍ଷକ ଜଣକ ସଦାବେଳେ ପ୍ରସନ୍ନ ରହୁଛନ୍ତି। କୌଣସି ସମସ୍ୟା ତାଙ୍କୁ ବ୍ୟଥିତ କରୁନାହିଁ।
ଏହା କେମିତି ସମ୍ଭବ? ଥରେ ପଚାରିଲେ ତାଙ୍କର ଜଣେ ବନ୍ଧୁ।

ଉତ୍ତରରେ ନବ ନିଯୁକ୍ତ ଶିକ୍ଷକ କହିଲେ- ମୋ ବାପା ମୋତେ ଗୋଟିଏ ମନ୍ତ୍ର ଦେଇଥିଲେ। ବିଭିନ୍ନ ସମସ୍ୟା ସମାଧାନ କରିବା ଦିଗରେ ତାହା ବେଶ୍‌ ଫଳପ୍ରଦ ହୋଇଛି। ମନ୍ତ୍ରଟି ହେଲା ମୁଁ ସକାଳୁ ଉଠିବା ବେଳେ ଭାବେ ମୋ ପାଖରେ କେବଳ ଦୁଇଟି ବାଟ ଅଛି। ଦିନ ଯାକ ମନ ଖୁସିରେ ରହିବି ନା ଦୁଃଖରେ। ମୁଁ ପ୍ରତିଦିନ ମନ ଖୁସିରେ ରହିବାର ବାଟଟି ବାଛେ। ସେଇମିତି ଯେତେବେଳେ କୌଣସି ସମସ୍ୟା ଉପୁଜେ ସେତେବେଳେ ମୁଁ କେମିତି ପ୍ରତିକ୍ରିୟା ଦେଖାଇବି ତାର ବି ଦୁଇଟି ପ୍ରକାର ଥାଏ। ଯେଉଁ ପ୍ରକାରେ ପ୍ରତିକ୍ରିୟା ଦେଖାଇଲେ ଦିନଟି ଭଲରେ କଟିବ ତାହା ମୁଁ ବାଛେ। ଏଇ ବାଛିବାର କଳା ଉପରେ ଆମ ଜୀବନର ସୁଖଦୁଃଖ ନିର୍ଭର କରେ।

ବନ୍ଧୁ କହିଲେ- ଆମେ ଯେଉଁମାନେ ବିଭିନ୍ନ କାରଣରୁ ଦୁଃଖ ପାଉଛୁ କ’ଣ ଦୁଃଖକୁ ବାଛୁଛୁ?

ଶିକ୍ଷକ କହିଲେ- ତା’ ନୁହେଁ ତ ଆଉ କ’ଣ? ଆମେ ସମସ୍ତେ ବିଭିନ୍ନ କାରଣରୁ ଆମ ଜାଣତ ବା ଅଜାଣତରେ ଦୁଃଖ ହିଁ ବାଛୁ। କାଳିଆ ବୋଲି ଚଗଲା ପିଲାଟିଏ ମୋ ଧୋତିରେ କାଳି ଢାଳିଦେଲା। ମୋ ପାଖରେ ଦୁଇଟା ବାଟ ଥିଲା। ଦଣ୍ତ ଦେବି ନା ପାଖକୁ ଡାକି ବୁଝାଇବି। ମୁଁ ଦ୍ବିତୀୟ ବାଟ ବାଛିଲି। ମୁଁ ଯାହା ବି କରେ ସେଇ ଗୋଟିଏ ମନ୍ତ୍ରର ଆଧାରରେ କରେ। ତାହା ହେଲା ଏୟା ଯେ ମୁଁ ମୋର ଦିନଟିକୁ ଖୁସିରେ କାଟିବି।

ସମ୍ବନ୍ଧିତ ଖବର