ନଈ ଓ ସାଗର

କଥାଟିଏ - ଯାଯାବର

ଥରେ ପ୍ରଶ୍ନ ଉଠିଲା, ନଦୀ କାହାର? ପର୍ବତ କହିଲା, ନଦୀ ମୋର। ମୋ ଦେହରୁ ବାହାରି ନଦୀ ବହିଯାଉଛି। ଦୁଇ କୂଳ ଦୁଇ ବାହୁ ପ୍ରସାର କରି କହିଲା, ନଦୀ ମୋର। ମୁଁ ତାକୁ ମୋର ଗଭୀର ଆଶ୍ଳେଷ ଭିତରେ ବନ୍ଦୀ କରି ରଖିଛି। ନଉକା କହିଲା, ନଦୀ ମୋର। ମୁଁ ତାରି ବକ୍ଷରେ ଚାଲିଛି। ମୁଁ ତାର ଓ ସେ ମୋର। ନଦୀକୂଳରେ ରହୁଥିବା ମଣିଷ କହିଲେ, ନଦୀ ଆମର। ସେ ଆମକୁ ଜଳ ଦେଉଛି। ତାରି ଉପରେ ନିର୍ଭର କରି ଗଢ଼ି ଉଠିଛି ଆମ ଗାଁ ଓ ସହର। ଜୀବଜନ୍ତୁ କହିଲେ, ନଦୀ ଆମର। ଆମେ ତାରି ପାଣି ପିଇ ବଞ୍ଚୁଛୁ।

ନଦୀ ସମସ୍ତଙ୍କ କଥା ଶୁଣି ଶୁଣି ବହି ଚାଲିଥାଏ। ଶେଷରେ ସେ ଶୁଣିଲା ଏକ ଗର୍ଜନ। ସେଇ ଗର୍ଜନ ତାକୁ ଆହ୍ବାନ କରୁଥିଲା। ତାହା ଥିଲା ସମୁଦ୍ରର ଆହ୍ବାନ। ନଦୀ ଯାଇ ସମୁଦ୍ରରେ ମିଶିଗଲା। ଥରେ ମିଶିଗଲା ପରେ ସମୁଦ୍ରରୁ ନଦୀକୁ କେହି ଅଲଗା କରି ପାରିଲେ ନାହିଁ। ଏଥର ନଦୀ କହିଲା, ବୁଝିଲ ତ ମୁଁ କାହାର? ମୁଁ ମୋ ଗତି ପଥରେ ସମସ୍ତଙ୍କୁ ଭେଟେ। ସମସ୍ତଙ୍କ ସୁଖ ଓ ଦୁଃଖର ସାଥୀ ହୁଏ। କିନ୍ତୁ ଶେଷରେ ମୁଁ ସେଇ ସାଗର ସହିତ ମିଶିଯାଏ। ମୁଁ ପ୍ରକୃତରେ ହେଉଛି ତାର।

ଏହି ଗପଟି କହିସାରି ଗୁରୁ କହିଲେ- ଠିକ୍‌ ସେମିତି। ଆମେମାନେ କିଏ କାହାର ବୋଲି ସଦାବେଳେ ତର୍କ ଚାଲିଥାଏ। ବାପା ମାଆ କହନ୍ତି ପୁଅ ମୋର। ସ୍ତ୍ରୀ କହେ ନା ସେ ମୋର। ପିଲାମାନେ କହନ୍ତି ନା ସେ ଆମର ପିତା, ତେଣୁ ଆମର। କିନ୍ତୁ ପ୍ରକୃତରେ ସେ କାହାର? ତାର ଜୀବନର ନଈ ବହିଯାଇ ଶେଷରେ ପରମାତ୍ମାଙ୍କ ମହାସାଗରରେ ଲୀନ ହୋଇଯାଏ। ତେଣୁ ସେ କେବଳ ଈଶ୍ବରଙ୍କର। ଏହାକୁ ସମସ୍ତେ ମନେ ରଖ।

ସମ୍ବନ୍ଧିତ ଖବର