ସମ୍ମାନ ଅର୍ଜନ

କଥାଟିଏ - ଯାଯାବର

ଜଣେ ଯୁବ ସନ୍ନ୍ୟାସୀଙ୍କ ଆଶ୍ରମରେ ଅନେକ ଶିଷ୍ୟ ଥିଲେ। ସେ ଥିଲେ କଡ଼ା ମିଜାଜର। ସର୍ବଦା ସେ ଶିଷ୍ୟମାନଙ୍କ ଠାରୁ ସମ୍ମାନର ଅପେକ୍ଷା ରଖୁଥିଲେ। କୌଣସି ଶିଷ୍ୟ ଠିକଣା ଭାବେ ସମ୍ମାନ ପ୍ରଦର୍ଶନ ନ କଲେ ସେ ଭୀଷଣ ବିରକ୍ତ ହେଉଥିଲେ। ତାଙ୍କ ବ୍ୟବହାରରେ ଅତିଷ୍ଠ ଅନେକ ଶିଷ୍ୟ ତାଙ୍କ ଆଶ୍ରମ ଛାଡ଼ି ଦେଲେ। ଏହାର କିଛି ଦୂରରେ ଥିଲା ଆଉ ଜଣେ ସନ୍ନ୍ୟାସୀଙ୍କ ଆଶ୍ରମ। ଏଇ ସନ୍ନ୍ୟାସୀ ଥିଲେ ବର୍ଷୀୟାନ। ତାଙ୍କ ପାଖରେ ଅନେକ ଶିଷ୍ୟ ଶିକ୍ଷା ଗ୍ରହଣ କରୁଥିଲେ। ଯୁବ ସନ୍ନ୍ୟାସୀ ଥରେ ସେଇ ଆଶ୍ରମକୁ ବୁଲିଗଲେ। ସେଠାରେ ସେ ଦେଖିଲେ ଯେ ତାଙ୍କ ଆଶ୍ରମରୁ ବାହାରି ଆସିଥିବା କିଛି ଶିଷ୍ୟ ସେଠାରେ ଅଛନ୍ତି। ଯୁବ ସନ୍ନ୍ୟାସୀ ଏହା ଦେଖି ବର୍ଷୀୟାନ ଗୁରୁଙ୍କୁ କହିଲେ- ଏଇ ଶିଷ୍ୟମାନଙ୍କ ଉପରେ ନଜର ରଖିଥିବେ। ଏମାନେ ମୋତେ ଉପଯୁକ୍ତ ସମ୍ମାନ ଦେଲେ ନାହିଁ। ସେମାନଙ୍କୁ ଆକଟ କରିବାରୁ ଆଶ୍ରମ ଛାଡ଼ି ଚାଲି ଆସିଲେ।
ବର୍ଷୀୟାନ ଗୁରୁ କହିଲେ- ଏମିତି କଥା? ତେବେ ମୋ ସହିତ ବି ଏମିତି ହୋଇଛି।

ଯୁବ ସନ୍ନ୍ୟାସୀ ପଚାରିଲେ- ସେମିତି ପରିସ୍ଥିତିରେ ଆପଣ କ’ଣ କରନ୍ତି?

ବର୍ଷୀୟାନ ସନ୍ନ୍ୟାସୀ କହିଲେ- ମୁଁ ଭାବେ ସମ୍ମାନକୁ ଅର୍ଜନ କରିବାକୁ ପଡ଼ିଥାଏ। ଯଦି ଜଣେ ମୋତେ ସମ୍ମାନ ପ୍ରଦର୍ଶନ କରୁ ନାହାନ୍ତି, ତେବେ ମୋ ଠାରେ କିଛି ଅଭାବ ରହୁଛି। ତେଣୁ ମୁଁ ସେମାନଙ୍କୁ ଆହୁରି ଶ୍ରଦ୍ଧା କରିବାକୁ ଲାଗେ।

ଯୁବ ସନ୍ନ୍ୟାସୀ କହିଲେ- ତଦ୍ଦ୍ବାରା ଲାଭ?

ବର୍ଷୀୟାନ କହିଲେ- ଲାଭ ଏୟା ହୁଏ ଯେ ସେମାନେ କ୍ରମେ ଲଜ୍ଜିତ ହୁଅନ୍ତି ଓ ହୃଦୟ ମଧୢରୁ ମୋତେ ସମ୍ମାନ ଦେଖାଇବା ଆରମ୍ଭ କରନ୍ତି। ଭୟ ଦେଖାଇ ତୁମେ ଆଜ୍ଞାବହ ସୃଷ୍ଟି କରିପାରିବ, କିନ୍ତୁ ଶ୍ରଦ୍ଧା ଦେଇ ତୁମେ ସମ୍ମାନ ଅର୍ଜନ କରିପାରିବ।

ସମ୍ବନ୍ଧିତ ଖବର