ସମର୍ପଣର କଥା

କଥାଟିଏ - ଯାଯାବର

ଜଣେ ଲୋକ ଡଙ୍ଗାରେ ଆହୁଲା ମାରି ନଈ ପାର ହେଉଥିଲା। ପାଗ ପ୍ରତିକୂଳ ଥିଲା। ଜୋର‌୍‌ରେ ପବନ ବହୁଥିଲା। ନଈ ଅଶାନ୍ତ ଥିଲା। ତେଣୁ ଡଙ୍ଗାକୁ ସମ୍ଭାଳି ଆର କୂଳକୁ ଯିବା ଥିଲା କାଠିକର ପାଠ। କିନ୍ତୁ ବ୍ୟକ୍ତି ଜଣକ ଥିଲା ଏକନିଷ୍ଠ। ତେଣୁ ସେ ପ୍ରତିକୂଳତା ସତ୍ତ୍ବେ ଆହୁଲା ମାରି ମାରି ନଈ ପାର ହୋଇ ଆର କୂଳରେ ପହଞ୍ଚିଲା। ମଝିରେ ତାକୁ ଲାଗିଲା ଯେ ସେ ଆଉ ପାରିବ ନାହିଁ। କିନ୍ତୁ ସେ ଭାଙ୍ଗି ନ ପଡ଼ି ଆହୁଲା ମାରିବାରେ ଲାଗିଲା ଏବ˚ ସଫଳ ହେଲା।

ନଈ ପାର ହେବା ବାଟରେ ସେ ଆଉ ଗୋଟିଏ ନଉକା ଦେଖିଥିଲା, ଯେଉଁଥିରେ ଜଣେ ଲୋକ ପାଲ ଟାଣି ଦେଇ ବସି ରହିଥିଲା। ପବନ ପାଲକୁ ବିପଜ୍ଜନକ ଭାବେ ଭିଡ଼ି ନେଉଥିଲା। ଯୋଗକୁ ପାଲ ଟଣା ଡଙ୍ଗା ବି କିଛି ସମୟ ପରେ କୂଳରେ ଲାଗିଲା।

ଆହୁଲା ମାରି ନଈ ପାର କରିଥିବା ବ୍ୟକ୍ତି ପାଲ ଟଣା ଡଙ୍ଗାର ଆରୋହୀକୁ ପଚାରିଲା- ତୁମ ପାଖରେ ଆହୁଲା ନାହିଁ କି?

ସେ ଉତ୍ତର ଦେଲା – ନା ନାହିଁ।

ଆହୁଲାଧାରୀ ପଚାରିଲା- ତୁମେ ଏମିତି ବିପଜ୍ଜନକ ଅବସ୍ଥାରେ ପାରି ହେଉଛ, ଭୟ ଲାଗୁନାହିଁ?

ପାଲ ଡଙ୍ଗାର ଆରୋହୀ କହିଲା- ଯେତେବେଳ ଯାଏ ଭୟ ଲାଗୁଥିଲା ମୁଁ ବି ଆହୁଲା ଧରୁଥିଲି। କିନ୍ତୁ ଯେଉଁ ଦିନ ସ୍ଥିର କଲି ସ˚ଘର୍ଷ ନ କରି ସମର୍ପଣ କରିଦେବି ମୁଁ ଭୟ ଛାଡ଼ିଦେଲି। ଭୟ ଛାଡ଼ି ଦେଲି ତ ଆହୁଲା ବି ମୋ ହାତରୁ ଚାଲିଗଲା।

ଆହୁଲାଧାରୀ ପଚାରିଲା- ମୁଁ କ’ଣ ସେମିତି ପାରିବି?

ପାଲ ଡଙ୍ଗାର ଆରୋହୀ କହିଲା- ତୁମେ ପାରିବ ସେତିକି ବେଳେ ଯେତେବେଳେ ତୁମେ ନିଜେ ମିଳେଇ ଯିବ। ଈଶ୍ବରଙ୍କ ଉପରେ ବିଶ୍ବାସ ମଝିରେ ତୁମେ ନିଜେ ଯଦି ରହିଥିବ ତେବେ ସ˚ପୂର୍ଣ୍ଣ ସମର୍ପଣ ସମ୍ଭବ ହେବ ନାହିଁ। ତୁମ ହାତରେ ଆହୁଲା ରହିଥିବ।

ସମ୍ବନ୍ଧିତ ଖବର