ନିଦରୁ କିଏ ଉଠାଇଲା?

କଥାଟିଏ - ଯାଯାବର

ଜଣେ ବ୍ୟକ୍ତିଙ୍କ ଗୋଟିଏ ଅଭ୍ୟାସ ଥିଲା ଯେ ଶୋଇବାକୁ ଯିବା ପୂର୍ବରୁ ସେ ପ୍ରାର୍ଥନା କରୁଥିଲେ। ପିଲାଟି ଦିନରୁ ଏ ଅଭ୍ୟାସରେ କେବେ ଦିନେ ବି ବ୍ୟତିକ୍ରମ ହୋଇ ନ ଥିଲା। କିନ୍ତୁ ଦିନେ ଖୁବ୍‌ ପରିଶ୍ରମ କଲା ପରେ କ୍ଳାନ୍ତ ହୋଇ ସେ ଯେତେବେଳେ ଶୋଇବାକୁ ଗଲେ, ଏମିତି ନିଦ ମାଡ଼ି ଆସିଲା ଯେ ସେ ପ୍ରାର୍ଥନା କରିବାକୁ ଭୁଲିଗଲେ। ପରଦିନ ପାହାନ୍ତିଆରେ ଅଚାନକ ତାଙ୍କ ନିଦ ଚାଉଁକିନା ଭାଙ୍ଗିଗଲା। ତାଙ୍କୁ ଲାଗିଲା ଯେମିତି କେହି ଜଣେ ତାଙ୍କୁ ହଲାଇ ନିଦରୁ ଉଠାଇ ଦେଲା। ଏହା ସାଙ୍ଗେ ସାଙ୍ଗେ ମନେ ପଡ଼ିଗଲା ଯେ ସେ ପ୍ରାର୍ଥନା କରିବାକୁ ଭୁଲି ଯାଇଛନ୍ତି। ସେ ଏତେ ମ୍ରିୟମାଣ ହୋଇପଡ଼ିଲେ ଯେ ଦିନ ସାରା ତାଙ୍କୁ କିଛି ଭଲ ଲାଗିଲା ନାହିଁ। ସେ ଈଶ୍ବରଙ୍କୁ କ୍ଷମା ମାଗିବା ସହ ମୁହଁ ଶୁଖେଇ ରହିଲେ। ଏ କଥା ତାଙ୍କ ଗୁରୁ ଜାଣିଲେ।

ସେ ସେହି ବ୍ୟକ୍ତିଙ୍କୁ ପଚାରିଲେ- ତୁମେ ଜାଣିଛ କି ତୁମକୁ ନିଦରୁ କିଏ ଉଠାଇଲା?

ଭଦ୍ରଲୋକ କହିଲେ- ମୁଁ ଭାବୁଛି କୌଣସି ଭଗବାନଙ୍କ ଦୂତ ମୋତେ ଏଭଳି ଉଠାଇ ଦେଇଥିବେ।

କିନ୍ତୁ ଗୁରୁ ହସିଲେ ଓ କହିଲେ- ନା’ ତୁମକୁ ନିଦରୁ ଉଠାଇଲା ସୈତାନ୍‌। ତୁମେ ବିସ୍ମିତ ହେଉଥିବ ଯେ ସୈତାନ୍‌ ତୁମକୁ ନିଦରୁ ଉଠାଇ ପ୍ରାର୍ଥନା କରିବା କଥା ମନେ ପକାଇଲା କାହିଁକି? ସୈତାନ୍‌ ତ ପ୍ରାର୍ଥନା କରୁଥିବା ଲୋକକୁ ଶୁଆଇ ଦେବା କଥା। ତା’ ନୁହଁ। ସୈତାନ୍‌ର ଉଦ୍ଦେଶ୍ୟ ହେଲା ତୁମକୁ ଅନୁତାପର ନିଆଁରେ ଜଳାଇ କଷ୍ଟ ଦେବା। ତୁମେ ଦିନ ଯାକ ଯାହା କରିଛ ତାହା ପ୍ରଭୁଙ୍କ ପ୍ରାର୍ଥନା ସଦୃଶ। ତେଣୁ ଥରେ ପ୍ରାର୍ଥନା କରିବାକୁ ଭୁଲିଗଲେ ବ୍ୟସ୍ତ ହୁଅନା।

ସମ୍ବନ୍ଧିତ ଖବର