ଏକାନ୍ତ ବାସ

କଥାଟିଏ - ଯାଯାବର

ଜଣେ ଗୁରୁ ଥିଲେ। ସେ ବିଭିନ୍ନ ଅଞ୍ଚଳ ବୁଲି ପ୍ରବଚନ ଦେଉଥିଲେ।

ଥରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଲେ। ଏଭଳି ସ୍ଥିତିରେ ସେ ତାଙ୍କ ଅତି ପ୍ରିୟ ଜଣେ ଶିଷ୍ୟକୁ ତାଙ୍କ ସ୍ଥାନରେ ପ୍ରବଚନ ଦେବାକୁ କହିଲେ। ଗୁରୁଙ୍କ ପଟ୍ଟ ଶିଷ୍ୟ ପ୍ରବଚନ ଦେବା ଆରମ୍ଭ କଲେ।

କିନ୍ତୁ କିଛି ଦିନ ଗଲା ପରେ ଦେଖାଗଲା ଯେ ଶିଷ୍ୟ ଜଣକ ଆଉ ପୂର୍ବ ଭଳି ହୋଇ ନାହାନ୍ତି। ସମସ୍ତେ ତାଙ୍କ ପ୍ରବଚନକୁ ପ୍ରଶ˚ସା କରିବାକୁ ଲାଗିଥିଲେ। ଅଧିକରୁ ଅଧିକ ସ୍ଥାନରୁ ତାଙ୍କୁ ପ୍ରବଚନ ସକାଶେ ନିମନ୍ତ୍ରଣ ଆସୁଥିଲା। କିନ୍ତୁ ସେ ଯେମିତି ଏକ ଅନ୍ୟମନସ୍କତାରେ ବୁଡ଼ି ରହିଥିବା ଭଳି ଲାଗୁଥିଲେ। ହଠାତ୍‌ ଦିନେ ସେ କୁଆଡ଼େ ଚାଲିଗଲେ।

ଏହା ପରେ ବିତିଗଲା ଅନେକ ବର୍ଷ। ଥରେ ସେଇ ଗୁରୁ ଗୋଟିଏ ଅଞ୍ଚଳକୁ ପ୍ରବଚନ ଦେବାକୁ ଯାଇଥିଲେ। ସେଠାରେ ଅକସ୍ମାତ୍‌ ସେଇ ଶିଷ୍ୟଙ୍କ ସହିତ ତାଙ୍କର ଦେଖା ହୋଇଗଲା। ଗୁରୁ ବିସ୍ମୟଭରା କଣ୍ଠରେ ପଚାରିଲେ- ହଠାତ୍‌ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲ?

ଶିଷ୍ୟଟି ଧୀରେ କହିଲା- ମହାତ୍ମା, ଆଗରୁ ମୁଁ ଆପଣଙ୍କ ପ୍ରବଚନ କେବଳ ଶୁଣୁଥିଲି। କିନ୍ତୁ ଆପଣଙ୍କ ଆଜ୍ଞା ମାନି ପ୍ରବଚନ ଦେଲା ବେଳେ ମୋତେ ଲାଗିଲା ଯେ ଅନ୍ୟମାନଙ୍କ ଲାଗି ଉଦାହରଣ ଦେବା କେତେ ସହଜ ନୁହେଁ ସତେ? ଏହା ମୋତେ ଉଦ୍‌ବେଳିତ କଲା। ତେଣୁ ସ୍ଥିର କଲି ଯେ ପ୍ରବଚନରେ ଥିବା ବାଣୀକୁ ନିଜ ଜୀବନରେ ଫ୍ରତିଫଳିତ କରାଇବି। ସେ ଦିଗରେ ଯେତେବେଳେ ଚେଷ୍ଟା କରିବା ଆରମ୍ଭ କଲି, ଦେଖିଲି ଆଉ ପ୍ରଗଳ୍‌ଭ ଭଳି କହିବାଟା ସମ୍ଭବ ହେଉନାହିଁ। ଉପଦେଶଗୁଡ଼ିକୁ ଜୀବନରେ ବ୍ରତ ଭାବେ ଧାରଣ କରିବାର ଉଦ୍ୟମ ମୋତେ ଅଧିକରୁ ଅଧିକ ନିରବ କର ପକାଇଲା। ଦିନେ ତାହା ମୋତେ ସବୁ ଛାଡ଼ି ଏକାନ୍ତ ବାସକୁ ଚାଲିଯିବାକୁ ବାଧୢ କଲା।

ସମ୍ବନ୍ଧିତ ଖବର