ଅନ୍ଧକାର ଓ ଆଲୋକ

କଥାଟିଏ - ଯାଯାବର

ଥରେ ଗୁରୁ ୟୁଜି କୃଷ୍ଣମୂର୍ତ୍ତି ତାଙ୍କ ଅନୁଗାମୀମାନଙ୍କୁ କହୁଥିଲେ ଏହି କଥା।

ଗୋଟିଏ ବିଳମ୍ବିତ ରାତିରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ବନ୍ଧୁଙ୍କ ଘରୁ ନିଜ ଘରକୁ ବାହାରିଲେ। ବନ୍ଧୁ କହିଲେ- ଯଦି ଯାଉଛ, ତେବେ ଦୀପଟିଏ ସାଙ୍ଗରେ ଧରି ଯାଅ।

ଦୃଷ୍ଟିହୀନ ବ୍ୟକ୍ତି ଜଣକ କହିଲେ- ମୋତେ ତ ଦିଶୁନାହିଁ, ଦୀପଟି ନେବି କାହିଁକି?

ବନ୍ଧୁ କହିଲେ- ବାଟଟି ଅନ୍ଧକାରମୟ। ତୁମ ହାତରେ ଦୀପଟିଏ ଥିଲେ, ଅନ୍ତତଃ ବିପରୀତ ଦିଗରୁ ଆସୁଥିବା ଲୋକ ତୁମକୁ ଦେଖିପାରିବେ। ଫଳରେ ଧକ୍କା ହେବ ନାହିଁ।

ଦୃଷ୍ଟିହୀନ ବ୍ୟକ୍ତି ଜଣକ ଦୀପଟି ଧରି ବାହାରିଗଲେ। କିନ୍ତୁ କିଛି ବାଟ ଗଲା ପରେ ତାଙ୍କର ଆଉ ଜଣେ ଲୋକଙ୍କ ସହିତ ଧକ୍କା ହେଲା। ଦୃଷ୍ଟିହୀନ ବ୍ୟକ୍ତି କହିଲେ- ଭାଇ କ୍ଷମା କରିବ, ତୁମେ କ’ଣ ମୋ ଭଳି ଦୃଷ୍ଟିହୀନ?

ବିପରୀତ ଦିଗରୁ ଆସିଥିବା ଲୋକ ଜଣକ କହିଲେ- ନା ମୋର ଆଖି ଭଲ ଅଛି। କିନ୍ତୁ ଆଗକୁ ଦେଖିବା ଲାଗି ମୋ ପାଖରେ ଆଲୋକ ନାହିଁ। ତେଣୁ ଧକ୍କା ହୋଇଗଲା।

ଦୃଷ୍ଟିହୀନ ବ୍ୟକ୍ତି ଜଣକ କହିଲେ- କିନ୍ତୁ ମୋ ହାତରେ ତ ଆଲୋକ ଅଛି। ଆପଣ ତାକୁ କେମିତି ଦେଖିପାରିଲେ ନାହିଁ?

ବିପରୀତ ଦିଗରୁ ଆସିଥିବା ଲୋକ କହିଲେ- କ୍ଷମା କରିବେ, ଆପଣ ଜାଣି ପାରି ନାହାନ୍ତି ଆପଣଙ୍କ ହାତର ଦୀପଟି ଲିଭିଯାଇଛି।

ସମ୍ବନ୍ଧିତ ଖବର