ଥରେ ଜେନ୍ ଗୁରୁ ହାନ୍ଜାଙ୍କ ସର୍ବସ୍ବ ଚୋରି ହୋଇଗଲା। କିନ୍ତୁ ସେ କଥା କେହି ଜାଣି ପାରିଲେ ନାହିଁ। ଯେଉଁ ଶିଷ୍ୟମାନେ ହାନ୍ଜାଙ୍କ ପାଖରେ ରହୁଥିଲେ, ସେମାନେ କାହାକୁ କହିଲେ ନାହିଁ। ହାନ୍ଜାଙ୍କ ଆଚରଣରେ କିଛି ପରିବର୍ତ୍ତନ ଦେଖାଗଲା ନାହିଁ। ତାଙ୍କ ମୁଖମଣ୍ଡଳ ପୂର୍ବ ଭଳି ଅମଳିନ ଥିଲା।
କିନ୍ତୁ କେମିତି କେଜାଣି ଏ କଥା ଜାଣିଲେ ହାନ୍ଜାଙ୍କ ଜଣେ ଅନୁଗାମୀ। ସେ ଥିଲେ ଜଣେ ବଡ଼ ବ୍ୟବସାୟୀ। ସହରରେ ତାଙ୍କର ଅନେକ ପ୍ରଭାବ ଥିଲା। ସେ ହାନ୍ଜାଙ୍କୁ କହିଲେ- ଆପଣ କେମିତି ଏହାକୁ ବରଦାସ୍ତ କଲେ? ଆପଣ ଚାହିଁଲେ ମୁଁ ଚୋରକୁ ଧରିବାର ବ୍ୟବସ୍ଥା କରାଇବି।
ହାନ୍ଜା କହିଲେ- ମୂର୍ଖ। ଏମିତି କିଏ କରେ? ମୁଁ ଯାହା ସବୁ ହରାଇଛି ତାହା କ’ଣ ମୁଁ ମା’ ପେଟରୁ ନେଇ ଆସିଥିଲି? ସବୁ କିଛି ଉପାର୍ଜନ କରିଥିଲି। ସବୁ ଗଲା ତ ଯାଉ!
ଧନିକ ଅନୁଗାମୀ କହିଲେ- ଆପଣ ଉପାର୍ଜନ କରିଥିଲେ ଅର୍ଥ ତାହା ଆପଣଙ୍କର।
ହାନ୍ଜା କହିଲେ-ସେଇଠି ତ ଭୁଲ୍ କରୁଚୁ। ସେ ସବୁ ଜିନିଷ ମୋ ଜୀବନକୁ ଆସିବା ଆଗରୁ ମୁଁ ଥିଲି। ଏବେ ବି ମୁଁ ଅଛି। ତେଣୁ ଭାବିନିଅ େଯ ସେ ସବୁ ଜିନିଷ କେବେ ହେଲେ ମୋ ଜୀବନକୁ ଆସି ହିଁ ନ ଥିଲା। ମୁଁ ପୁଣି ସେଇ ପୂର୍ବର ହାନ୍ଜା ହୋଇଗଲି।
ତା’ ପରେ ହାନ୍ଜା କହିଲେ- ସେମିତି ଭାବି ପାରୁନାହଁ ବୋଲି ତ ଜଂଜାଳରେ ପଶିଛ ଏବଂ ତହିଁରୁ ମୁକ୍ତି ପାଇ ପାରୁନାହଁ।