ଜଣେ ଅତି ଧନୀ ଲୋକ ଥିଲେ। ଧନ ତାଙ୍କୁ ଏମିତି ଗର୍ବମତ୍ତ କରିଦେଇଥିଲା ଯେ ତାଙ୍କୁ ମଣିଷ ଭଳି କେହି ଦିଶୁ ନ ଥିଲେ। କିନ୍ତୁ ତାଙ୍କ ପତ୍ନୀ ଥିଲେ ପୂରାପୂରି ବିପରୀତ ସ୍ବଭାବର। ସେ ବାରମ୍ବାର ନିଜ ସ୍ବାମୀଙ୍କୁ କହୁଥିଲେ- ଦେଖ, ତୁମେ କିଛି ନୁହେଁ। ତୁମ ହାତରେ କିଛି ନାହିଁ। ତେଣୁ ତୁମେ ଆଜି ଯାହା ବି ପାଇଛ ସେଥିଲାଗି ସବୁବେଳେ କୃତଜ୍ଞ ରୁହ। କିନ୍ତୁ ସବୁ କଥା ବୃଥା ଯାଉଥିଲା।
ଦିନେ ଧନୀ ବ୍ୟକ୍ତିଜଣକ ଆନନ୍ଦରେ ସୁସ୍ବାଦୁ ମଧୢାହ୍ନ ଭୋଜନ ଖାଉଥାଆନ୍ତି। ହଠାତ୍ ମାଛର କଣ୍ଟାଟିଏ ତାଙ୍କ ଗଳାରେ ଅଟକି ଗଲା। ତାହା ଆଉ ବାହାରିଲା ନାହିଁ। ଭୀଷଣ କଷ୍ଟ ଦେଲା। ସେ ବୈଦ୍ୟଙ୍କୁ ଡକାଇ ପଠାଇଲେ। କିନ୍ତୁ ବୈଦ୍ୟ ଅନ୍ୟ କିଛି କାମରେ ଏମିତି ବ୍ୟସ୍ତ ଥିଲେ ଯେ ଆସିପାରିଲେ ନାହିଁ। ସୁତରା˚, ସେ ନିଜେ ବିକଳ ହୋଇ ତାଙ୍କ ଘରକୁ ଦୌଡ଼ିଲେ। ବୈଦ୍ୟ ଦେଖି କହିଲେ- ବହୁତ ସମସ୍ୟା। ଏ କଣ୍ଟା ବାହାରି ପାରିବ ନାହିଁ। ତେବେ ଯନ୍ତ୍ରଣା ଉପଶମ ଲାଗି କିଛି ଔଷଧ ଦେଉଛି ନିଅନ୍ତୁ।
ଧନୀ ବ୍ୟକ୍ତି ବିକଳରେ ବୈଦ୍ୟଙ୍କୁ ପଚାରିଲେ- ଏହାର ପରିଣତି କଅଣ ହୋଇପାରେ? ବୈଦ୍ୟ କହିଲେ- କିଛି କହିହେଉନାହିଁ। ଭିତରେ ରହି ପାଚିଗଲେ ସ୍ଥିତି ଖରାପ ହୋଇପାରେ। ଧନୀ ବ୍ୟକ୍ତିଙ୍କର ବୁଦ୍ଧି ହଜିଗଲା।
ତାଙ୍କର ମନ ସେଇ କଣ୍ଟାରେ ଅଟକିଗଲା। ନିଜ ବୈଭବ, ପ୍ରତିପତ୍ତି, ପ୍ରଭାବ, ଗର୍ବ ସବୁ କିଛି ଭୁଲିଗଲେ। ଯାହାକୁ ଦେଖିଲେ ମାଛ କଣ୍ଟାରୁ କେମିତି ମୁକ୍ତି ପାଇବେ ତା’ର ବାଟ ପଚାରିଲେ। ଶେଷରେ ଜଣେ ବିଚକ୍ଷଣ ଲୋକ ତାହା ବାହାର କରି ଦେବାରୁ ଧନୀ ବ୍ୟକ୍ତି କୃତଜ୍ଞତାରେ ତାଙ୍କୁ କୁଣ୍ଢାଇ ପକାଇଲେ।
ସେତିକି ବେଳକୁ ତାଙ୍କର ଚୈତନ୍ୟ ଉଦୟ ହୋଇସାରିଥିଲା।