ନିରାଶାର କାରଣ

କଥାଟିଏ - ଯାଯାବର

ଗୋଟିଏ ସଂଧ୍ୟାରେ ଗୁରୁ ଓ ଶିଷ୍ୟ ପଦଚାରଣା କରୁଥିଲେ। ବାଟରେ ଶିଷ୍ୟ ପଚାରିଲେ- ଗୁରୁଦେବ, ଏ ସଂସାର ହତାଶାମୟ କାହିଁକି? କାହିଁକି ଅଧିକାଂଶ ସମୟରେ ନିରାଶା ହାତରେ ଲାଗେ?

ଗୁରୁ କହିଲେ- କିଏ କହିଲା ସଂସାରଟି ହତାଶାରେ ଭରା? ତୁମ ହତାଶା ବା ନିରାଶା ସହିତ ସଂସାରର କୌଣସି ସଂପର୍କ ନାହିଁ। ସଂସାର ସଂପୂର୍ଣ୍ଣ ନିରପେକ୍ଷ ଓ ତଟସ୍ଥ। ସେ କେବଳ ନିଜ ବାଟରେ ଚାଲିଥାଏ। ପ୍ରକୃତରେ ତୁମର ଆଶା ହିଁ ନିରାଶା ସୃଷ୍ଟି କ‌େର। ଯାହାର ଯେତେ ଅଧିକ ଆଶା ସେ ସେତେ ଅଧିକ ନିରାଶ ହୁଏ।

ମନେ ପକାଅ। ଗତକାଲି ଆମେ ଯେତେବେଳେ ସାଂଧ୍ୟ ଭ୍ରମଣ କରୁଥିଲେ, ସେତିକି ବେଳେ ଗୋଟିଏ ଗଛ ପାଖରେ ତୁମେ ଅଟକି ଗଲ। ତହିଁରେ ସ୍ବାଦିଷ୍ଠ ଆମ୍ବଟିଏ ଝୁଲୁଥିଲା। ତୁମେ ତାହା ପାଇବାର ଆଶା କରି ସେଠାରେ ଅନେକ ଉଦ୍ୟମ କଲ। ପଥର ମାରିଲ। ଲାଠି ଫିଙ୍ଗିଲ। କିନ୍ତୁ ତୁମେ ସଫଳ ହେଲ ନାହିଁ। ସେତିକି ବେଳେ ଦୀର୍ଘଶ୍ବାସ ଛାଡ଼ି ଫେରି ଆସିଲ। ସେ‌େତବେଳେ ତୁମକୁ ନିରାଶ ଲାଗିଲା କାହିଁକି? ସଂସାର ଲାଗି ନା ତୁମର ଆଶା ଲାଗି?

ଆମ୍ବ ଗଛରେ ସୁମିଷ୍ଟ ଫଳ ହେବା ଏକ ସ୍ବାଭାବିକ ବିଷୟ। ଏଥିରେ କାହାକୁ ସଫଳତା ଦେବା ବା ବିଫଳତା ଦେବାର ଅଭିପ୍ରାୟ ଲୁଚି ନ ଥାଏ। କିନ୍ତୁ ଏହା ଉପରେ ଆଶା ରଖି ତାକୁ ହାସଲ କରିବା ଲାଗି ଯାଉଥିବା ବ୍ୟକ୍ତି ଯଦି ତାହା ପାଇଯାଏ, ତେବେ ତାହା ଉଲ୍ଲାସର କାରଣ ହୋଇପାରେ, ନଚେତ୍‌ ହତାଶାର କାରଣ। ଏବେ ବୁଝି ପାରିଲ ତ!

ସମ୍ବନ୍ଧିତ ଖବର