ସଇତାନର ଦୃଷ୍ଟି

କଥାଟିଏ - ଯାଯାବର

ଜଣେ ବାଳକ ଗୁରୁଙ୍କ ଗୃହକୁ ଧନୁର୍ବିଦ୍ୟା ଶିକ୍ଷା କରିବାକୁ ଗଲା। ଗୁରୁ ତାକୁ ଧନୁର୍ବିଦ୍ୟାର କିଛି ପ୍ରାରମ୍ଭିକ ବାଗ ଶିଖାଇ କହିଲେ ଅଭ୍ୟାସ କର। ପିଲାଟି ଅଭ୍ୟାସ କରିବା ବେଳେ ଦେଖିଲା ଯେ ଗୁରୁ ଯେଉଁ ସବୁ ଲକ୍ଷ୍ୟ ଭେଦ କରିବାକୁ ଦେଇଥିଲେ, ସେ ସବୁ ଲକ୍ଷ୍ୟକୁ ସେ ଅନାୟାସରେ ବିନ୍ଧି ପାରୁଛି। ସେ ଯେଉଁଠି ଚାହୁଁଛି, ତୀର ସେଇଠି ଲାଗୁଛି।

ତା’ ସହିତ ଆଉ ଜଣେ ନୂଆ ପିଲା ବି ଶିଖୁଥିଲା। ସେ କିନ୍ତୁ ଗଳଦ୍‌ଘର୍ମ ହୋଇ ତା’ର ଅଭ୍ୟାସ ଜାରି ରଖିଥାଏ। ସେ ବାରମ୍ବାର ଚେଷ୍ଟା କରି ବି ଠିକଣା ଭାବେ ଲକ୍ଷ୍ୟ ଭେଦ କରିପାରୁ ନ ଥାଏ। ସେ ହତାଶାରେ ଜଳୁଥାଏ।

ସନ୍ଧ୍ୟାରେ ଗୁରୁ ଦୁହିଁଙ୍କୁ ଡାକି ସେମାନଙ୍କ ଅଭ୍ୟାସ ବିଷୟରେ ପଚାରିଲେ। ପ୍ରଥମ ଶିଷ୍ୟ ଗଦଗଦ ହୋଇ କହିଲା- ଗୁରୁଜୀ, ବିଚିତ୍ର ଘଟନା ଘଟିଛି। ମୁଁ ଯେଉଁଠି ଚାହୁଁଛି, ସେଠି ତୀର ଲାଗୁଛି।

ଗୁରୁ କହିଲେ- ସତେ? ମୋତେ କରି ଦେଖାଅ। ପିଲାଟି ସାଙ୍ଗେସାଙ୍ଗେ ତାହା କରି ଦେଖାଇଦେଲା। ଗୁରୁ ଗମ୍ଭୀର ହୋଇ କହିଲେ- ତୁମେ ତାହା ହେଲେ କ’ଣ ଚାହଁ?

ପିଲାଟି କହିଲା- ମୁଁ ଭାବୁଛି ମୋ ଉପରେ ଭଗବାନଙ୍କ ଆଶୀର୍ବାଦ ଝରୁଛି। ତେଣୁ ମୁଁ ସ୍ଥିର କରିଛି ଘରକୁ ଚାଲିଯିବି। ଈଶ୍ବରଙ୍କ ଆଶୀର୍ବାଦ ଠାରୁ ବଡ଼ ଆଉ କ’ଣ ଅଛି?

ତା’ ପରେ ଦ୍ବିତୀୟ ଶିଷ୍ୟ କହିଲା- ଆଜ୍ଞା, ମୋ ଉପରେ ଈଶ୍ବରଙ୍କ ଆଶୀର୍ବାଦ କ’ଣ ଝରିବ ନାହିଁ?

ଗୁରୁ କହିଲେ-ତୁ ଚୁପ୍‌ କର ଆଉ ଅଭ୍ୟାସ ଜାରି ରଖ।

ଅନେକ ବର୍ଷ ଅଭ୍ୟାସ କଲା ପରେ ଦ୍ବିତୀୟ ଶିଷ୍ୟ ଜଣେ ଅଦ୍ବିତୀୟ ତୀରନ୍ଦାଜରେ ପରିଣତ ହେଲା। ଗୁରୁ କହିଲେ- ବତ୍ସ, ଏବେ ତୁ ଯାଆ। ଏବେ ତୋ’ ଉପରେ ଈଶ୍ବରଙ୍କ ଆଶୀର୍ବାଦ ବର୍ଷିଲା। ଅନେକ ବର୍ଷ ତଳେ ଯେଉଁ ପିଲାଟି ଲକ୍ଷ୍ୟ ଭେଦର ସଫଳତାରେ ଖୁସି ହୋଇ ଘରକୁ ଫେରିଯାଇଥିଲା, ତା’ ଉପରେ ପ୍ରକୃତରେ ସୈତାନର କୁଦୃଷ୍ଟି ପଡ଼ିଥିଲା। ଈଶ୍ବର କାହାକୁ ଏତେ ଶୀଘ୍ର ଆଶୀର୍ବାଦ ଦିଅନ୍ତି ନାହିଁ। ଏହା ସବୁ ବେ‌େଳ ମନେ ରଖ। ସେହି ବାଳକ ଏବେ ଧନୁର୍ବିଦ୍ୟା ପରିତ୍ୟାଗ କରିଥିବା ସମ୍ଭବ।

ସମ୍ବନ୍ଧିତ ଖବର