ଦିନେ ସକାଳେ ମୁଲ୍ଲା ନସିରୁଦ୍ଦିନ ଭାବିଲେ ଯେ ଗାଁ ବାଲାଙ୍କ ସହିତ ଗମାତ କରିବେ। ସେଥି ଲାଗି ସେ କ’ଣ କଲେ ନା ତାଙ୍କ ଘର ଦେଇ ଯାଉଥିବା ଜଣେ ଲୋକକୁ ମିଛରେ କହିଦେଲେ ଯେ ଗାଁ ଜମିଦାର ଗୋଟିଏ ଭୋଜି ଦେଉଛନ୍ତି ଏବଂ ଗାଁ ବାଲାଙ୍କୁ ନିମନ୍ତ୍ରଣ କରିଛନ୍ତି। ସୁତରାଂ, ଗାଁ ଲୋକେ ଦ୍ବିପହରେ ଜମିଦାରଙ୍କ ଘରକୁ ଯିବା ଦରକାର।
ମୁଲ୍ଲା ଜାଣିଥିଲେ ଯେ ଗୁଜବର ସହସ୍ର ପାଦ। ଚାହୁଁ ଚାହୁଁ ଏ କଥା ଗାଁରେ ରାଷ୍ଟ୍ର ହୋଇଯିବ। ଜମିଦାରଙ୍କ ଉଆସ ଗାଁ ବାହାରେ ଦୂରରେ ଥିଲା। ତେଣୁ ମଜା ଦେଖିବା ଲାଗି ଦିନ ଦ୍ବିପହର ବେଳକୁ ମୁଲ୍ଲା ଘର ଦୁଆର ମୁହଁରେ ବସି ରାସ୍ତାକୁ ଚାହିଁ ରହିଲେ। ସେ ଦେଖିଲେ ଦଳ ଦଳ ହୋଇ ଲୋକେ ଜମିଦାରଙ୍କ ଘର ଆଡ଼କୁ ଚାଲିଛନ୍ତି।
ସେ ପଚାରିେଲ- କୁଆଡ଼େ ଯାଉଛ କି?
ଲୋକେ କହିଲେ- ମୁଲ୍ଲା ତୁମେ ଜାଣିନ କି ଜମିଦାର ପରା ଭୋଜି ଦେଉଛନ୍ତି!
ଏମିତି କିଛି ସମୟ ଦେଖିବା ପରେ ମୁଲ୍ଲା ବି ଜମିଦାରଙ୍କ ଘର ଆଡ଼କୁ ଦୌଡ଼ିବା ଲାଗି ବାହାରିଲେ।
ମୁଲ୍ଲାଙ୍କ ପତ୍ନୀ କହିଲେ- ତୁମେ ନିଜେ ପରା ଗମାତ ଦେଖିବା ଲାଗି ମିଛ କହି ଏଭଳି କାମ କରିଛ? ଏବେ ଯାଉଛ କୁଆଡ଼େ?
ମୁଲ୍ଲା କହିଲେ- ତୁମେ ଯାହା କହୁଛ ସତ ଯେ, ଏତେ ଲୋକ ଜମିଦାରଙ୍କ ଘର ଆଡ଼କୁ ଯାଉଛନ୍ତି! ତେଣୁ କିଏ ଜାଣିଲା କାଳେ ସତରେ ଭୋଜି ଦେଉଥିବେ!
ମୁଲ୍ଲାଙ୍କ ସ୍ତ୍ରୀଙ୍କ ପାଟିରୁ କଥା ବାହାରିଲା ନାହିଁ। ଏହା ହେଉଛି ଗୁଜବର ପ୍ରଭାବ।