ଜେନ୍ ଗୁରୁ ଇକୁ ସାଧାରଣ ଭାବେ ଶିଷ୍ୟ ଗ୍ରହଣ କରୁ ନ ଥିଲେ। ଅନେକ ଯାଞ୍ଚ କଲା ପରେ କଦବା କେମିତି ଶିଷ୍ୟ ନେଉଥିଲେ। ଦିନେ ଇକୁଙ୍କ କପାଳରେ ଜୁଟିଗଲା ଜଣେ ନଛୋଡ଼ବନ୍ଦା ଯୁବକ।
ଇକୁ ତାଙ୍କ କୋଠରିର ଦରଜା ଖୋଲୁ ଖୋଲୁ ଯୁବକ ତାଙ୍କୁ କହିଲା- ଆଜ୍ଞା, ମୋତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।
ଇକୁ ଈଷତ୍ ବିରକ୍ତ ହୋଇ କହିଲେ- ହେଃ, ଭାଗ୍।
ଯୁବକ କିନ୍ତୁ ସହଜରେ ଛାଡ଼ିବା ଜନ୍ତୁ ନ ଥିଲା। ସେ ଗଲା ନାହିଁ। ଇକୁ ଅଗତ୍ୟା କବାଟ ବନ୍ଦ କରି ଭିତରେ ରହିଲେ। ଯୁବକ ସେଠାରେ ବସି ରହିଲା। କିଛି ସମୟ ପରେ ପୁଣି ଇକୁ ସନ୍ତର୍ପଣରେ ଦରଜା ଖୋଲିଲା ବେଳକୁ ଯୁବକ ସେଠାରେ ବସିଥିବା ଦେଖି କବାଟ କିଳି ପକାଇଲେ। ଏଥର ତାଙ୍କ ମନରେ ଚିନ୍ତା ପଶିଲା- ୟା ଠୁ ମୁକ୍ତି ପାଇବି କେମିତି? କିନ୍ତୁ ତାଙ୍କୁ ବୁଦ୍ଧିବାଟ ଦିଶିଲା ନାହିଁ। ଅଗତ୍ୟା ସେ ପୁଣି କବାଟ ଖୋଲି ଯୁବକକୁ କହିଲେ- କହିଲି ପରା ଭାଗ୍।
ଯୁବକ କହିଲା- ଆଜ୍ଞା, ମୁଁ ଯିବି ନାହିଁ। ଆପଣ ମୋତେ ଶିଷ୍ୟ ଭାବେ ଗ୍ରହଣ ନ କଲା ପର୍ଯ୍ୟନ୍ତ ଏଠାରେ ରହିବି।
ଇକୁ ପୁଣି କବାଟ କିଳିଲେ। ଏବେ ତାଙ୍କ ମୁଣ୍ଡରେ ବୁଦ୍ଧିଟିଏ ଜୁଟିଲା।
କିଛି ସମୟ ପରେ କବାଟ ଖୋଲି ଇକୁ କହିଲେ- ତୁମେ ମୋର ଶିଷ୍ୟ ହେବ ପରା!
ଯୁବକ ଆନନ୍ଦରେ କୁରୁଳି ଉଠିଲା।
ଇକୁ କହିେଲ- ଆଜି ମୁଁ ତୁମକୁ ଶିଷ୍ୟ ଭାବେ ଗ୍ରହଣ କଲି। ଏବେ ତୁମକୁ ଗୁରୁ ଭାବେ ମୋର ପ୍ରଥମ ଆଦେଶ- ଭାଗ୍।
ଗୁରୁଙ୍କ ଆଦେଶ ନ ମାନିବା ଛଡ଼ା ଯୁବକର କୌଣସି ଗତି ନ ଥିଲା।