ଧୋବାର ଗଧଟିଏ ଥାଏ। ସେ ଗଧ ଭାରି ଉଚ୍ଚାଭିଳାଷୀ। ତେଣୁ ସେ ନିଜ ସ୍ଥିତି ନେଇ ଅସନ୍ତୁଷ୍ଟ ଥାଏ।

Advertisment

ଦିନକର କଥା। ଗଧଟି ନଈ କୂଳରେ ବନ୍ଧା ହୋଇଛି, ଏଇ ସମୟରେ ନଈର ପାଣିରେ ଗୋଟିଏ ଛାଇ ଦେଖିଲା। ସେ ଉପରକୁ ଅନାଇ ଦେଖେ ତ ପକ୍ଷୀରାଜ ଘୋଡ଼ାଟିଏ ଉଡ଼ି ଯାଉଛି। ତା’ ଉପରେ ବସିଛନ୍ତି ରାଜପୁତ୍ର। ସେ ମନେ ମନେ ଭାବିଲା ଏ ଘୋଡ଼ାର କି ଭାଗ୍ୟ! ରାଜପୁତ୍ରଙ୍କୁ ଧରି ଉଡ଼ି ଯାଉଛି। ଏ ନିଶ୍ଚୟ ରାଜକୀୟ ଜୀବନଯାପନ କରୁଥିବ।

ସେ ଦିନ ସେ ପୂରା ବିଷଣ୍ଣ ହୋଇଗଲା। ସେ ମନେ ମନେ ଭାବିଲା ତା’ର ହଳେ ସୁନ୍ଦର ଡେଣା ଥାଆନ୍ତା କି? ସେ ବି ରାଜପୁତ୍ରଙ୍କୁ ପିଠିରେ ଧରି ବୁଲି ପାରନ୍ତା!

ଏହି ସମୟରେ ଜଣେ ଦେବଦୂତ ଆସି ଉଭା ହୋଇଗଲେ। ସେ ତା’ର ଦୁଃଖ କଥା ଶୁଣି କହିଲେ- ୟେ ତ ବଡ଼ ବିଚିତ୍ର ଇଚ୍ଛା। ତେବେ କହୁଛୁ ଯଦି ତୋ’ ପାଇଁ ହଳେ ସୁନ୍ଦର ଡେଣାର ବ୍ୟବସ୍ଥା ଅବଶ୍ୟ କରିଦେଉଛି। କିନ୍ତୁ ସର୍ତ୍ତ ହେଲା, ତୋ’ ଆଖିରୁ ଆଉ ଯେମିତି ଲୁହ ନ ବହେ। କାରଣ ତୁ ହିଁ ଏହା ମାଗିଛୁ।

ଗଧ ଖୁସିରେ ଗଦଗଦ ହୋଇଗଲା।

ଦେବଦୂତ ତଥାସ୍ତୁ କହିବା ମାତ୍ରକେ ଗଧ ଦେଖିଲା ଯେ ତା’ ପିଠିରେ ଦୁଇଟି ଅପୂର୍ବ ଡେଣା ବାହାରିଛି ଓ ସେ ଉଡ଼ି ପାରୁଛି। ପରଦିନ ସକାଳୁ ଧୋବା ଦେଖିଲା ଯେ ଗଧ ନାହିଁ। ଏଣେ ଗଧ ଉଡ଼ି ଉଡ଼ି ଯାଇ ପହଞ୍ଚିଲା ରାଜକୁମାରଙ୍କ ପାଖରେ। ସେ କହିଲା- ମଣିମା, ଆପଣ ମୋ ପିଠିରେ ବି ଥରେ ବସନ୍ତୁ। ମୁଁ ଆପଣଙ୍କୁ ବୁଲେଇ ଆଣିବି। ରାଜପୁତ୍ର ଏହା ଶୁଣି ହସିହସି ବେଦମ ହେଲେ। ସେ ତାଙ୍କ ଲୋକଙ୍କୁ କହିଲେ- ଏହାକୁ ନେଇ ଧୋବା ବସ୍ତିକୁ ଯାଅ। ‌େସଠାରେ ଏହାର କାମ ଅଛି। ଏଣିକି ଜଣେ ଧୋବା ଏହା ପିଠିରେ ବସି ଉଡୁ। ତାହା ହିଁ ହେଲା।