ଶିଷ୍ୟ ଗୁରୁଙ୍କୁ କହିଲା- ମହାଶୟ, ଆପଣଙ୍କ ଭଳି ଗୁରୁ ପାଇ ମୁଁ ଧନ୍ୟ!
ଗୁରୁ କହିଲେ- ତାହା ହେଲେ ତୁମେ ମୋ ଗୁରୁଙ୍କୁ ଦେଖିବା ଉଚିତ।
ଶିଷ୍ୟ ପଚାରିଲା- ସେ କେଉଁଠାରେ ରହନ୍ତି।
ଗୁରୁ କହିଲେ- ସେ ଗୋଟିଏ ଗାଁରେ ରହନ୍ତି। ସାଧାରଣ ଜୀବନ ଜିଅନ୍ତି। ତାଙ୍କ ପାଖକୁ ବହୁତ ଲୋକ ଆସନ୍ତି। ଥରେ ମୁଁ ତୁମର ସାକ୍ଷାତ ତାଙ୍କ ସହିତ କରାଇବି।
ସେମିତି ଦିନଟିଏ ଆସିଲା। ଗୁରୁ ଶିଷ୍ୟକୁ ନେଇ ତାଙ୍କ ଗୁରୁଙ୍କ ନିକଟକୁ ଗଲେ। ଗୁରୁଙ୍କ ଗୁରୁ ଥିଲେ ଜଣେ ସ୍ବଳ୍ପ ଭାଷୀ କିନ୍ତୁ ପ୍ରସନ୍ନ ଚିତ୍ତଧାରୀ ମଣିଷ। ସେ ଏମାନଙ୍କୁ ଦେଖି ଖୁସି ହେଲେ, କିନ୍ତୁ ବିଶେଷ ସମ୍ଭାଷଣ କଲେ ନାହିଁ। ତାଙ୍କ ପାଖକୁ ଅନେକ ଲୋକ ଆସୁଥିଲେ। ସେ ସମସ୍ତଙ୍କ କଥା ଶୁଣୁଥିଲେ, କିନ୍ତୁ ପଦେ ଅଧେ କହୁଥିଲେ। ଶିଷ୍ୟକୁ ଲାଗିଲା ଯେ ଗୁରୁଙ୍କ ଗୁରୁଙ୍କ ଠାରୁ ବିଶେଷ କିଛି ଶିକ୍ଷା ଲାଭ କରି ହେବନାହିଁ। କିନ୍ତୁ ସେ ତା’ର ଗୁରୁଙ୍କ ଗୁରୁ। ତେଣୁ କିଛି କହିବା ଆଗରୁ ଥରେ ଭାବି ନେବା ଭଲ।
ତେବେ ଫେରିବା ବାଟରେ ନିଜକୁ ସମ୍ଭାଳି ନ ପାରି ସେ ଗୁରୁଙ୍କୁ ସେହି ବାବଦରେ ପଚାରିଲା। ସେ କହିଲା- ଆଜ୍ଞା, ଆପଣଙ୍କ ଗୁରୁ କେବଳ ଶୁଣୁଛନ୍ତି। ବିଶେଷ କିଛି କହୁ ନାହାନ୍ତି। ତାଙ୍କ ଠାରୁ ଶିକ୍ଷା ମିଳିବ କେମିତି?
ଗୁରୁ କହିଲେ- ଆରେ ବାବୁ, ସେଇ ତ ଶିକ୍ଷା। ଆମମାନଙ୍କର ଯୋଡ଼ିଏ କାନ। କାନ ପୁଣି ପୂରା ଖୋଲା। କିନ୍ତୁ ଆମେ ଶୁଣୁନା କାହିଁକି? ଜଣେ କିଛି କହିଲେ ଆମେ ଅଧା ଶୁଣୁ, ବାକି ଶୁଣୁନା। ପୁଣି ଅଧିକ ଶୁଣିଲେ ବିରକ୍ତ ହେଉ। ଏହାର କାରଣ ଆମ ଅହଂକାର ଆମ କାନର ପରଦା ଭଳି କାମ କରି ଆମକୁ ଶୁଣିବାକୁ ଦିଏନା। ଅହଂକାରକୁ ଜିଣିଥିବା ଲୋକ ମୋ ଗୁରୁଙ୍କ ଭଳି ସବୁ କିଛି ଶୁଣିପାରନ୍ତି। ସମସ୍ତଙ୍କୁ ଶୁଣି ପାରନ୍ତି ବୋଲି ଲୋକେ ତାଙ୍କ ପାଖକୁ ଆସନ୍ତି ଓ ଦୁଃଖକଷ୍ଟ କହନ୍ତି। ଏହା ତ ତାଙ୍କର ବିଶେଷତ୍ବ।