ରାଜା ହେବି ନାହିଁ!

କଥାଟିଏ - ଯାଯାବର

ରାଜପୁତ୍ର ତାଙ୍କ ପିତାଙ୍କୁ କହିଲେ- ଆପଣଙ୍କ ଅନ୍ତେ ମୁଁ ସିଂହାସନ ଗ୍ରହଣ କରିବି ନାହିଁ।

ରାଜା ଅତ୍ୟନ୍ତ ବିସ୍ମିତ ହୋଇ ତାହାର କାରଣ ପଚାରିଲେ।

ରାଜପୁତ୍ର କହି‌େଲ- ମୁଁ ଜଣେ ସୁସ୍ଥ ଯୁବକ। ମୁଁ ସୁସ୍ଥ ‌‌ହୋଇ ରହିବାକୁ ଚାହେ। ତେଣୁ ରାଜା ହେବି ନାହିଁ। ମୋର ମନେ ହୁଏ, ସବୁ ଅସୁସ୍ଥ ଲୋକେ ରାଜା ହେବାକୁ ଇଚ୍ଛା କରିଥାଆନ୍ତି!

ରାଜା କିଛି ବୁଝି ନ ପାରି ଭ୍ରୂକୁଂଚନ କରି ପଚାରିଲେ- ଏହାର ଅର୍ଥ? ମୋତେ ଲାଗୁଛି ତୁମେ ପାଗଳ ଭଳି ପ୍ରଳାପ କରୁଛ? କେବଳ ସୁସ୍ଥ ବ୍ୟକ୍ତିିମାନେ ହିଁ ରାଜା ହୁଅନ୍ତି` ଅସୁସ୍ଥମାନେ ରାଜା ହେବାକୁ ଅଯୋଗ୍ୟ।

ରାଜକୁମାର କହିଲେ- ଆପଣ କହନ୍ତୁ ତ କ୍ଷମତାର ଅଯଥା ଲୋଭ, ସମାଲୋଚନାକୁ ଘୃଣା ଓ ସେଥି ପ୍ରତି ଅସହିଷ୍ଣୁତା, ଅହେତୁକ ମହାତ୍ତ୍ବାକାଂକ୍ଷା, ଧନ ଓ ପ୍ରତିପତ୍ତିର ଗର୍ବ, ମନୁଷ୍ୟ ଓ ଭୂଖଣ୍ଡ ଉପରେ ପ୍ରଭୁତ୍ବର ଇଚ୍ଛା, କେବଳ ନିଜର ମାନ ବୃଦ୍ଧି ଲାଗି ଯୁଦ୍ଧ ବା ଦିଗ୍‌ବିଜୟର କାମନା; ଏ ସବୁ ସୁସ୍ଥ ମଣିଷର ଚିନ୍ତନ ନା ଅସୁସ୍ଥ ମଣିଷର ଚିନ୍ତାଧାରା?

ରାଜା କହିଲେ- ତୁମେ ଯାହା କହୁଛ, ତାହା ଠିକ ଭଳି ବୋଧ ହେଉଛି ସତ! କିନ୍ତୁ ତାହା ତ ରାଜାର ଧର୍ମ; ସେ ସବୁ ହେଉଛି ରାଜୋଚିତ ଗୁଣ।
ରାଜକୁମା‌ର କହିଲେ- ମୁଁ ତ ତାହା ହିଁ କହୁଛି। ଏହା ରାଜୋଚିତ ନିଶ୍ଚୟ। କିନ୍ତୁ ତାହା ଜଣେ ଅସୁସ୍ଥ ମନୁଷ୍ୟର ଚିନ୍ତନ।

ତା’ ପରେ ରାଜକୁମାର ପିତାଙ୍କୁ ପ୍ରଶ୍ନ କଲେ- ଆପଣ କୁହନ୍ତୁ ତ ଗୌତମ ବୁଦ୍ଧ ଜଣେ ସୁସ୍ଥ ବ୍ୟକ୍ତିତ୍ବ ଥିଲେ ନା ଅସୁସ୍ଥ? ସେଥି ଲାଗି ତ ସେ ରାଜପଦକୁ ପାଦରେ ଠେଲିଦେଲେ!

ରାଜା ନିରବ ରହିଲେ।

ରାଜକୁମାର କହିଲେ- ମୁଁ ଜଣେ ସୁସ୍ଥ ମଣିଷ ହୋଇ ବଞ୍ଚିବାକୁ ଚାହେ, ତେଣୁ ରାଜା ହେବି ନାହିଁ।

ସମ୍ବନ୍ଧିତ ଖବର