ସତ୍ୟ ଖୋଜୁଥିବା ଶିଷ୍ୟ

କଥାଟିଏ - ଯାଯାବର

ଜ‌ଣେ ଜେନ୍‌ ଗୁରୁଙ୍କ ପାଖରେ କିଛି ଶିଷ୍ୟ ଥିଲେ। ତେବେ ଯେଉଁ ଦିନ ଠାରୁ ନୂଆ ଶିଷ୍ୟଟି ଜୁଟିଲା, ସେହି ଦିନ ଠାରୁ ଅନ୍ୟମାନେ ବିଚଳିତ ହେବା ଆରମ୍ଭ କଲେ। କାରଣ ନୂଆ ଶିଷ୍ୟଟି ଗୁରୁଙ୍କ କୌଣସି ବିଚାରକୁ ସହଜରେ ଗ୍ରହଣ କରୁ ନ ଥିଲା। ସଦାବେଳେ ପ୍ରଶ୍ନ କରୁଥିଲା। ଗୁରୁ ତାକୁ ବୁଝାଇ ବୁଝାଇ ନୟାନ୍ତ ହେଉଥିଲେ।

ଦିନେ ରାତିରେ ବାହାରକୁ ଯାଇଥିବା ବେଳେ ଗୁରୁ ଗାତରେ ଗଳି ପଡ଼ିଲେ ଏବଂ ତାଙ୍କୁ ତହିଁରୁ ବାହର କରିବା ଲାଗି ଡାକ ପକାଇଲେ। ଭାଗ୍ୟକୁ ସେହି ପ୍ରଶ୍ନ କରୁଥିବା ଶିଷ୍ୟଟି ସେଠାରେ ଥିଲା। ସେ ଦୌଡ଼ି ଗଲା କିନ୍ତୁ ଗୁରୁଙ୍କୁ ବାହାର ନ କରି ତାଙ୍କର ଏମିତି ଦୁର୍ଦଶା କେମିତି ହେଲା ବୋଲି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲା। କିଛି ସମୟ ଗଲା ପରେ ଭାଗ୍ୟକୁ ଅନ୍ୟମାନେ ଦେଖିଲେ ବୋଲି ଗୁରୁ ଗାତରୁ ବାହାରିଲେ।

ଏଥିରେ କିନ୍ତୁ ଅନ୍ୟ ଶିଷ୍ୟମାନଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ସେମାନେ ସେହି ଶିଷ୍ୟର କାନକୁ ମୋଡ଼ି ଆଶ୍ରମ ବାହାରେ ଛାଡ଼ି ଦେଇ ଆସିଲେ।
ସେ ଦିନ ସଂଧ୍ୟାରେ ଗୁରୁ ଶିଷ୍ୟମାନଙ୍କୁ କିଛି କହିବା ଲାଗି ବସିଥିବା ବେଳେ ସେହି ଶି‌ଷ୍ୟକୁ ଖୋଜିଲେ। ଜଣେ ବଡ଼ ଶିଷ୍ୟ କହିଲା- ସେ ମହା ଚଗଲା। ତାକୁ ତଡ଼ି ଦେଲୁ।

ଗୁରୁ କହିଲେ- ଆରେ ହତଭାଗା, ସେ ତ ଅସଲ ଶିଷ୍ୟ ଥିଲା। ତାକୁ ଖୋଜି ଆଣ। ମୁଁ ଯାହା କହୁଛି, ତୁମେମାନେ ପିଇ ଯାଉଛ। ତେଣୁ ଜୀବନରେ ନିଜ ଲାଗି ସତ୍ୟ କେବେ ହେଲେ ପାଇବ ନାହିଁ। ସେ ଏକା ମୋତେ ପ୍ରଶ୍ନ କରୁଥିଲା ଏବଂ ସେ ଏକା ହିଁ ସତ୍ୟକୁ ପାଇବ।
ତାହା ସତ ହେଲା। ସେହି ଶିଷ୍ୟ ବଡ଼ ହୋଇ ହେଲା ପ୍ରସିଦ୍ଧ ଜେନ୍‌ ଗୁରୁ ଇକୁ।

ସମ୍ବନ୍ଧିତ ଖବର