ଅବଦୁଲର ଛୁଞ୍ଚି

କଥାଟିଏ - ଯାଯାବର

ଥରେ ରାଜା ମୁଲ୍ଲା ନସିରୁଦ୍ଦିନଙ୍କୁ କହିଲେ-ମୁଲ୍ଲା, ତୁମେ ସବୁ ବେଳେ ଦରିଦ୍ର ହୋଇ ରହିଛ। ଯେତେ ଯାହା ତୁମକୁ ଦେଲେ ବି ସେସବୁ କାହାକୁ ଦେଇ ଦଉଛ ବା ଖର୍ଚ୍ଚ କରି ପକାଉଛ! ଏମିତି କାହିଁକି?

ମୁଲ୍ଲା କହିଲେ- ମହାରାଜ, ଆପଣ ଏତେ ସ˚ପତ୍ତି ରଖିଛନ୍ତି, ହେଲେ ଲାଭ କ’ଣ?

ରାଜା କହିଲେ- ଲାଭ କ’ଣ? ବୁଝିଲ ମୁଲ୍ଲା, ଧନ ଥିଲେ ତୁମେ ଯାହା ଚାହିଁବ ତାହା କରିପାରିବ।

ମୁଲ୍ଲା କହିଲେ- ଯଦି ସେମିତି କଥା, ତେବେ ମହାରାଜ ମୋର ଗୋଟିଏ ଛୋଟ କାମ କରି ଦିଅନ୍ତୁ। ମୋ ସାଙ୍ଗ ଅବଦୁଲ ଦର୍ଜୀ ଦୁଇ ମାସ ତଳେ ମରିଗଲା। ମୁଁ ତା ଠାରୁ ଛୁଞ୍ଚିଟିଏ ଧାରରେ ଆଣିଥିଲି। ଏବେ ସେ ପ୍ରତିଦିନ ମୋତେ ସ୍ବପ୍ନରେ ଦେଖା ଦେଇ କହୁଛି ଯେ ମୁଲ୍ଲା ମୋ ଛୁଞ୍ଚି ଫେରା। ସ୍ବର୍ଗରେ ଛୁଞ୍ଚି ମିଳୁନି। ଏବେ ମୁଁ କରିବି କ’ଣ? ହଜୁର, ଆପଣ ଏ ବ୍ୟବସ୍ଥା କରି ଦିଅନ୍ତେନି?

ରାଜାଙ୍କ ବୁଦ୍ଧି ହଜିଗଲା। ସେ କହିଲେ ଏଇଟା ସମ୍ଭବ ନୁହେଁ। ପର ଲୋକକୁ ଏ ଲୋକରୁ ଜିନିଷ ଯାଇ ପାରିବ ନାହିଁ।

ମୁଲ୍ଲା କହିଲେ- ତେବେ ସାରା ଜୀବନଟା ଖଟେଇ ଏ ଲୋକରେ ଧନ ଜମାଇବାର କାରଣଟା କ’ଣ?

ରାଜା ନିରୁତ୍ତର ରହିଲେ।

ମୁଲ୍ଲା କହିଲେ- ଆପଣ ଯାହାକୁ ସ˚ପତ୍ତି ବୋଲି କହୁଛନ୍ତି ମୁଁ ତାକୁ ବିପତ୍ତି ବୋଲି କହେ। କାରଣ ଆପଣ ରାଜା ହୋଇ ବି ଧନ କାଳେ ଚୋରି ହୋଇଯିବ ସେଥି ଲାଗି ଶହେ ସରିକି ସିପାହି ଜଗାଇଛନ୍ତି। ତଥାପି ଆପଣ ଶାନ୍ତିରେ ଶୋଇ ପାରୁ ନ ଥିବେ। ହେଲେ, ମୋ ଘରକୁ ଚାଲନ୍ତୁ ଦେଖିବେ ମୁଁ କେମିତି ଝରକା କବାଟ ଖୋଲି ନିର୍ଭୟରେ ମହାରାଜାଙ୍କ ଭଳି ଶୋଉଛି।

ସମ୍ବନ୍ଧିତ ଖବର