ବିବେକର ଗୁଣୁଗୁଣୁ

କଥାଟିଏ - ଯାଯାବର

ଗୋଟିଏ ବିଶାଳ, ବଳବାନ ଅଥଚ ପ୍ରବଳ ମାରଣା ଷଣ୍ଢଟିଏ ଥିଲା। ତାର ଆଖି ଯୋଡ଼ିକ ଥିଲା ରକ୍ତ ବର୍ଣ୍ଣ, ତାର ନାକରୁ ଅଣଚାଶ ଝଡ଼ ବାହାରୁଥିଲା ଓ ତାର ଶିଙ୍ଗ ଯୋଡ଼ିକ ଥିଲା ତେଣ୍ଟା ଭଳି ମୁନିଆ। ସେ ମଧୢ ଥିଲା ଭାରି ଦୁଷ୍ଟ। ତା ଭୟରେ ସମସ୍ତେ ଥରହର ହେଉଥାନ୍ତି। ସେ ଷଣ୍ଢ ଯାହାକୁ ଦେଖିଲା ତାକୁ ମାରି ଗୋଡ଼ାଉଥାଏ। ଥରେ ଲୋକମାନେ ଜଣେ ବଳୁଆ ଯୋଦ୍ଧାକୁ ଆଣିଲେ ଯେ କି ତାକୁ ମଣ କରିପାରିବ। ମୁକାବିଲା ସକାଶେ ଯୋଦ୍ଧା ଜଣକ ଆସି ଷଣ୍ଢ ଆଗରେ ଛିଡ଼ା ହେଲେ ଓ ଡେଇଁ ପଡ଼ି ତାର ଶିଙ୍ଗ ଯୋଡ଼ାକ ଧରିନେଲେ। ଲୋକେ କହିଲେ- ଷଣ୍ଢ ଏଥର ଗଲା। କିନ୍ତୁ ଷଣ୍ଢ ତାକୁ ନିଜ ଶିଙ୍ଗରେ ଉଠାଇ କଚାଡ଼ି ଦେଲା। ମୁକାବିଲା ସେଇଠି ସରିଗଲା।

ଏଇ ସମୟରେ ସେଇ ବାଟେ ଯାଉଥିଲା ଭଅଁରଟିଏ। ସେ କହିଲା, ମୁଁ କିଛି ସାହାଯ୍ୟ କରି ପାରେ କି? ସମସ୍ତେ ହସିଲେ। ଯେମିତି ଛୋଟମାନେ କିଛି ବଡ଼ କରିବାକୁ ଚାହିଁଲେ ସମସ୍ତେ ହସନ୍ତି। ଭଅଁର କହିଲା, ମୋ ବଳ ନାହିଁ, ବୁଦ୍ଧି ଅଛି। ଦେଖ କ’ଣ କରୁଛି! ଏହା କହି ସେ ଉଡ଼ିଯାଇ ଷଣ୍ଢର ଦୁଇ ଶିଙ୍ଗ ମଝିରେ ବସି ବଡ଼ ଜୋରରେ ଗୁଣୁଗୁଣୁ ହୋଇ ଗୀତ ଗାଇବାକୁ ଲାଗିଲା। ଷଣ୍ଢ ଏ ବିରକ୍ତିକର ଶବ୍ଦରେ ଅତିଷ୍ଠ ହୋଇଗଲା। ସେ ଖାଲି ବିରକ୍ତ ହୋଇ ଏଣେ ତେଣେ ଦୌଡ଼ିଲା କିନ୍ତୁ ଭଅଁରର କିଛି କ୍ଷତି କରି ପାରିଲା ନାହିଁ। ଶେଷରେ ସେ କହିଲା- ଭାଇ ମୁଁ ତୋ କଥା ମାନିବି। ତୁ ମୋତେ ଛାଡ଼ି ଦେ। ଭଅଁର କହିଲା- ତୁ ପ୍ରତିଜ୍ଞା କର ଯେ ଶାନ୍ତ ଶିଷ୍ଟ ହୋଇ ରହିବୁ। ତୋ ବଳକୁ ଠିକ ବାଟରେ ଲଗାଇବୁ। ତେବେ ଯାଇ ତୋ ପିଛା ଛାଡ଼ିବି।

ଷଣ୍ଢ କହିଲା- ଯାହା କହିବୁ ତାହା କରିବି। ମୋତେ ଛାଡ଼।

ବିବେକ ଠିକ୍ ସେମିତିକା କାମ କରେ। ତାର ଗୁଣୁଗୁଣୁ ସ୍ବର ଅହରହ ବାଜି ମନକୁ ବାଟକୁ ଆଣେ।

ସମ୍ବନ୍ଧିତ ଖବର