ମୁଲ୍ଲାଙ୍କ ଅସ୍ତ୍ର

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନ ଏକ ଦୂର ସ୍ଥାନକୁ ଯିବାକୁ ବାହାରିଲେ। ସାଙ୍ଗରେ ସେ ଏକ ଚଉକଷିଆ ଠେଙ୍ଗା ନେଇ ଗଲେ। ମୁଲ୍ଲାଙ୍କ ପତ୍ନୀ ପଚାରିଲେ ଏ ଠେଙ୍ଗା କ’ଣ ପାଇଁ? ଏଥିରେ ମୁଲ୍ଲା ଟିକିଏ ଚିଡ଼ି ଯାଇ କହିଲେ- ଆରେ ନିର୍ବୋଧ, ଦୂର ବାଟ ଯାଉଛି। ପାଖରେ କିଛି ଟଙ୍କା ଅଛି। ଚୋର ଖଣ୍ଟ ହାବୁଡ଼ିଲେ ଏ ଠେଙ୍ଗା ସେମାନଙ୍କର ତତ୍ତ୍ବ ନେବ।

ମୁଲ୍ଲାଙ୍କ ସ୍ତ୍ରୀ କିଛି କହିଲେ ନାହିଁ।

ବେଳ ରତରତ ହେଲା ବେଳକୁ କିଛି ଲୋକ ମୁଲ୍ଲାଙ୍କୁ ବୋହି ବୋହି ଘରକୁ ଆଣିବା ଦେଖାଗଲା। ସେମାନେ କହିଲେ- ଖଣ୍ଡିଆଖାବରା ହୋଇ ମୁଲ୍ଲା ରାସ୍ତାରେ ପଡ଼ିଥିଲେ। କ’ଣ ହେଲା ବୋଲି ପଚାରିଲେ କିଛି କହୁ ନାହାନ୍ତି।

ପତ୍ନୀଙ୍କୁ ଦେଖିବା ପରେ ମୁଲ୍ଲାଙ୍କ ତୁଣ୍ଡ ଫିଟିଲା। ସେ କାନ୍ଦ କାନ୍ଦ ହୋଇ କହିଲେ- କ’ଣ କରିବି? ସେଇ ଠେଙ୍ଗା ମୋର କାଳ ହେଲା। ସତକୁ ସତ ଖଣ୍ଟ ଜୁଟିଲେ। ମୁଁ ଠେଙ୍ଗା ଦେଖାଇ ସେମାନଙ୍କୁ ଡରେଇଲି। କିନ୍ତୁ ସେମାନେ ମୋ ହାତରୁ ତାହା ଛଡ଼ାଇ ନେଇ ମୋତେ ନିର୍ଘାତ୍‌ ଛେଚିଲେ।

ମୁଲ୍ଲାଙ୍କ ପତ୍ନୀ କହିଲେ- ମୁଁ ଜାଣିଥିଲି ତାହା ହେବ। ବଳ ବା ଶକ୍ତି ଅସ୍ତ୍ରରେ ନ ଥାଏ, ଅସ୍ତ୍ର ଚଳାଇବା ବାଲା ପାଖରେ ତାହା ଥାଏ। ତୁମେ ଭାବିନେଲ ‌େଯ ଠେଙ୍ଗା ତୁମର ଅସ୍ତ୍ର। କିନ୍ତୁ ମୁଁ ଜାଣେ ତୁମେ ଯଦି ସେମାନଙ୍କ ପାଦ ତଳେ ପଡ଼ି ଯାଇ ଶରଣ ପଶି ଥାଆନ୍ତ, ତେବେ ଟଙ୍କା ସିନା ହରାଇ ଥାଆନ୍ତ, କିନ୍ତୁ ଏମିତି ଛେଚା ଖାଇ ନ ଥାଆନ୍ତ। ଏବେ ଟଙ୍କା ଗଲା ଓ ତୁମ ହାଡ଼ ଭାଙ୍ଗିଲା। ତେବେ ସେ ଯାହା ହେଉ ତୁମର ପ୍ରକୃତ ଅସ୍ତ୍ରଟି କ’ଣ ତାହା ଏବେ ବୁଝି ପାରିଲ ତ?

ସମ୍ବନ୍ଧିତ ଖବର