ଧନସଂପତ୍ତିର ଗୁରୁତ୍ବ

କଥାଟିଏ - ଯାଯାବର

ଏହି ପୃଥିବୀରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଧନ ସଂପତ୍ତି ନୁହେଁ କି? ସେଥି ଲାଗି ତ ରାଜାମାନେ ଦିଗ୍‌ବିଜୟରେ ବାହାରିଛନ୍ତି। ‌ସେଥି ଲାଗି କେତେ ଯୁଦ୍ଧ ହୋଇଛି। ଲୋକେ ତାହା ପଛରେ ପାଗଳ ଭଳି ଦୌଡୁଛନ୍ତି।

ଜଣେ ଯୁବକ ଏହିଭଳି କଥାଟିଏ ଉଠାଇଲେ ୟୁ.ଜି. କୃଷ୍ଣମୂର୍ତ୍ତିଙ୍କ ଆଗରେ। ୟୁଜିକେ ହସିଲେ ଓ କହିଲେ- ବାବୁ, ତୁମେ ଯାହା କହୁଛ, ତାହା ଗୋଟିଏ ଦୃଷ୍ଟିରୁ ଠିକ୍ ଭଳି ଲାଗୁଥାଇପାରେ। ଏହା ମଧ୍ୟ ସତ ଯେ ସାରା ପୃଥିବୀ ଧନସଂପତ୍ତି ଠୁଳ କରିବା ପଛରେ ପାଗଳ। ସମ୍ରାଟମାନେ ଏଥି ଲାଗି କେତେ ରାଜ୍ୟ ଧ୍ବଂସ କରିଛନ୍ତି। କିନ୍ତୁ ଏଣେ ଦେଖ, ଯେଉଁ ଅଳ୍ପ କେତେ ଜଣଙ୍କ ଯୋଗୁ ମାନବ ସମାଜ ଏ ଯାବତ୍‌ ବଞ୍ଚି ରହିଛି, ସେମାନେ ସମସ୍ତେ ଥିଲେ ନିର୍ଧନ, ଫକୀର। ସେ ବୁଦ୍ଧ ହୁଅନ୍ତୁ ବା ମହାବୀର ବା ଗୁରୁ ନାନକ ବା ଯୀଶୁ ଖ୍ରୀଷ୍ଟ; ମେସାନଙ୍କ ପାଖରେ କଉଡ଼ିଟିଏ ବି ନ ଥିଲା ବା ସେମାନେ ତାକୁ କୌଣସି ମହତ୍ତ୍ବ ଦେଉ ନ ଥିଲେ। ଗୌତମ ବୁଦ୍ଧ ଓ ମହାବୀର ତ ରାଜପ୍ରାସାଦ ଓ ଐଶ୍ବର୍ଯ୍ୟକୁ ପାଦରେ ଆଡ଼େଇ ଚାଲି ଆସିଥିଲେ। ଏହି ଅଳ୍ପ କିଛି ଲୋକଙ୍କ ହେତୁ ହିଁ ପୃଥିବୀ ଆଜି ବଞ୍ଚି ରହି ପାରିଛି। ତୁମେ କେବେ ଭାବିଛ କି ଯଦି ଆଲେକଜାଣ୍ଡର ଏ ମାନବ ଜାତିକୁ ପ୍ରଭାବିତ କରିଥାଆନ୍ତେ, ତେବେ ମାନବ ଜାତି ତିଷ୍ଠି ରହି ପାରି ଥାଆନ୍ତା? ତାହା କେବଳ ଯୁଦ୍ଧ ଓ ରକ୍ତପାତରେ ମଜ୍ଜି ରହି ଧ୍ବଂସ ପାଇ ଯାଆନ୍ତା।

ତେଣୁ ସଭ୍ୟତା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ସମସ୍ତ ଧନୀଙ୍କ ତୁଳନାରେ ଏହି ମୁଷ୍ଟିମେୟ ନିର୍ଧନ ବୈରାଗୀମାନଙ୍କ ଓଜନ ଅଧିକ।

ସମ୍ବନ୍ଧିତ ଖବର